ଯୁବତୀଙ୍କୁ ଏସିଡ୍‌ ମାଡ଼ ମାମଲା: ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ଲକ୍ଷ ଟଙ୍କା ଜରିମାନା

ଧର୍ମଗଡ଼,୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡିଡଙ୍ଗରୀଗୁଡାର ଯୁବତୀଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ । ଯୁବତୀ ଜଣକ ଏହାକୁ ବିରୋଧ କରିବାରୁ ସମ୍ପୃକ୍ତ ଯୁବକ ତାଙ୍କୁ ଏସିଡ୍‌ ମାଡ କରିଥିଲେ । ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି । ଜିଲା ଅତିରିକ୍ତ ଦୌରାଜଜ୍‌ ରାମକୃଷ୍ଣ ଚୌଧୁରୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ପୁଣି ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡିଡଙ୍ଗରୀଗୁଡାର ଜଣେ ୨୦ ବର୍ଷିୟା ଯୁବତୀ ୨୦୧୮ ଜାନୁୟାରୀ ୧୫ରେ ସବୁ ଦିନ ଭଳି କଲମପୁର କଲେଜକୁ ଯାଉଥିଲେ। ଏହି ସମୟରେ ବାରମ୍ବାର ତାଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିବା ଖଣ୍ଡିଡଙ୍ଗରୀଗୁଡାର ପର୍ଶୁରାମ ମାଝି ତାଙ୍କ ପିଛା କରିଥିଲେ। ହାତୀ ନଦୀ ପାର ହେବା ପରେ କଲମପୁର ଜୁନାଗଡ ମୁଖ୍ୟରାସ୍ତାର ବଙ୍କାପଲାକୁ ଯିବା ପୂର୍ବରୁ ପର୍ଶୁରାମ ଧରିଥିବା ଏସିଡ୍‌ ଯୁବତୀଙ୍କ ମୁହଁକୁ ଲକ୍ଷ୍ୟ କରି ଫିଙ୍ଗି ସେଠାରୁ ଫେରାର ହୋଇଯାଇଥିଲେ। ଏସିଡ୍‌ ମାଡ଼ରେ ତାଙ୍କ ହାତ ଓ ମୁହଁ ପୋଡିଯିବା ସହିତ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ପ୍ରଥମେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ା ପରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏ ନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପରେ ହାଇଦ୍ରାବାଦ ନିକଟରୁ ପର୍ଶୁରାମଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ଅଭାବନୀୟ ଘଟଣା ସେତେବେଳେ ସମଗ୍ର କଳାହାଣ୍ଡି ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିଲା ।