ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ ପାଇଁ ଯୋଜନା ଚାଲିଛି

ନୂଆପଡା ଅଫିସ,୧୦ା୮
ନୂଆପଡା ଏକ ଉପାନ୍ତ ଜିଲା । ଏଠାରେ ଯୁବ ସମାଜ ଦିନକୁ ଦିନ ପଥଭ୍ରଷ୍ଟ ଯେମିତି ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାର ସମୟ ଆସିଛି। ଏଥିପାଇଁ ନେହେରୁ ଯୁବ କେନ୍ଦ୍ର ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ କରି ପଦକ୍ଷେପ ନେଉଛି । ଏଥିପାଇଁ ସରକାରଙ୍କ ଦ୍ୱାରା ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ନେହେରୁ ଯୁବକେନ୍ଦ୍ରରେ ଜିଲା ସଂଯୋଜକ ଆଶୀଷ କୁମାର ଠାକୁର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ ବିଷଦ ଭାବେ କହିଛନ୍ତି ଯେ, ଜୁଲାଇ ମାସରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ ନେହେରୁ ଯୁବ କେନ୍ଦ୍ରର ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ । ଏଥିରେ ବିଭିନ୍ନ ଗାଁର ପୋଖରୀ, ଗାଁ ମୁଣ୍ଡ ସଫେଇ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏଥିରେ କୃତୀତ୍ୱ ପ୍ରଦର୍ଶନ କରିଥିବା କ୍ଲବମାନଙ୍କୁ ପୁରସ୍କୃତ କରିବାକୁ ଯୋଜନା ରଖାଯାଇଛି । ଏଥିରେ ଜିଲାସ୍ତରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅକ୍ତିଆର କରିଥିବା କ୍ଲବମାନଙ୍କୁ ଯଥାକ୍ରମେ ୩୦ ହଜାର, ୨୦ ହଜାର ଏବଂ ୧୦ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଏଥିପାଇଁ ଆବେଦନ କରିବାକୁ ଆହ୍ବାନ କରାଯାଇଥିବା ପ୍ରକାଶ କରିଛନ୍ତି । ଏହିଭଳି ଅଗଷ୍ଟରେ ସ୍ବଚ୍ଛତା ପଖୱାଡା ପାଳନ କରାଯିବ। ଯୁବକମାନଙ୍କୁ ଶାରିରୀକ ଭାବେ ସୁସ୍ଥତା ଆଣିବାକୁ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ, ବିତର୍କ ପ୍ରତିଯୋଗୀତା, ଜଳ ଶକ୍ତି ଅଭିଯାନ ଆଦି କାର୍ଯ୍ୟକ୍ରମ କରାଯିବାକୁ ଯୋଜନା ରଖାଯାଇଥିବା କହିଛନ୍ତି । ଏଥିପାଇଁ ଯୁବକ ସଂଘ କର୍ମକର୍ତ୍ତା ଆଗକୁ ଆସିବାକୁ କୁହାଯାଇଛି । ଏହି ସମ୍ମିଳନୀରେ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ।