ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ : ଡାକ୍ତରଖାନାରେ ଭର୍ତ୍ତି, ପୋଲିସର ଛାନ୍‌ଭିନ

ବୀରମହାରାଜପୁର,୧୦ା୬(ଡି.ଏନ୍‌.ଏ.) : ଗରମ ଯୋଗୁ ଘର ଛାତ ଉପରେ ଶୋଇଥିବା ଜଣେ ବିବାହିତ ଯୁବକଙ୍କ ଉପରେ ସଶସ୍ତ୍ର ଆକ୍ରମଣ ହୋଇଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଧିନସ୍ଥ କର୍ଣ୍ଣପାଲି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏଭଳିି ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଧାରୁଆ ଅସ୍ତ୍ରରେ ଗୁରୁତର ହୋଇଥିବା ଯୁବକ ଜଣକ ହେଲେ ସେହି ଗ୍ରାମର ବାସୁଦେବ ଖଣ୍ଡଗିରି (୩୨)। ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଂଗୀନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ବୀରମହାରାଜପୁର ପୋଲିସ ଏନେଇ ଏକ ହତ୍ୟା ଉଦ୍ୟମ ମାମଲା କେସ ନଂ ୧୧୨/୧୯ରେ ରୁଜୁ କରି ଛାନ୍‌ଭିନ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବ ଖଣ୍ଡରିରି ନାମକ ଏହି ଯୁବକ ଅତ୍ୟଧିକ ଗରମ ଯୋଗୁ ସ୍ତ୍ରୀ ପ୍ରଭାତୀଙ୍କ ସହ ଘର ଛାତ ଉପରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବାହାର ପଟୁୁ ଶିଡ଼ି ଯୋଗେ ଆସି କୋଣସି ଧାରୁଆ ଅସ୍ତ୍ର ଯୋଗେ ବାସୁଦେବଙ୍କ ତଣ୍ଟି କାଟିଥିଲେ। ତେବେ ପାଖରେ ଶୋଇଥିବା ତାଙ୍କ ସ୍ତ୍ରୀ ଚିତ୍କାର କରିବାରୁ ଖସି ପଳାଇଥିବା କୁହାଯାଉଛି। ପ୍ରଭାତୀଙ୍କ ଏତଲା କ୍ରମେ ବୀରମହାରାଜପୁର ଆଇଆଇସି ପ୍ରଭା ଧନ ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଛାତ ଉପରେ ପଡ଼ିଥିବା ରକ୍ତାକ୍ତ ଲୁଗା ସହ ଅଜଣା ବ୍ୟକ୍ତିଙ୍କ ଚପଲ ଓ ଏକ ମନିପର୍ସ ପୋଲିସ ଜବତ କରି ଅଧିକ ତଦନ୍ତ ଚଳାଇଥିବା ପ୍ରକାଶ।

Share