ଯୁବକଙ୍କ ଉନ୍ମତକାଣ୍ଡ: ପେଟ୍ରୋଲ ବୋମା ଫିଙ୍ଗି ଜାଳିଦେଲେ ହାଇୱା

ଆଳି, ୧୩।୬(ଡି.ଏନ୍‌.ଏ.): ଆଳି ଦେମାଳ ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି l ଭୋର ୫ଟାରେ ଯୁବକ ଜଣକ ପେଟ୍ରୋଲ ବୋମା ଫିଙ୍ଗି ଚିପ୍ସ ବୋଝେଇ ହାଇୱାକୁ ଜାଳି ଦେଇଛନ୍ତି। ଏଥିସହ ବାଲେଶ୍ୱରରୁ ମାଛ ପାଇଁ ଆସୁଥିବା ଦୁଇଟି ଗାଡିକୁ ମଧ୍ୟ ପେଟ୍ରୋଲ ବୋମା ଫିଙ୍ଗି ଦେଇଥିବା ଜଣାପଡିଛି। ତେବେ ଆଉ ଏକ ଆଇରନ ବୋଝେଇ ୧୨ଚକିଆ ଟ୍ରକକୁ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିନେଇଥିଲା। ସୂଚନାଯୋଗ୍ୟ, ଶନିବାର ସକାଳେ ଚଣ୍ଡିଖୋଲରୁ ରାଜକନିକା ଆସୁଥିବା ଚିପ୍ସ ବୋଝେଇ ଗାଡିକୁ ଯୁବକ ଜଣକ ଆଳି ଦୁର୍ଗା ମଣ୍ଡପ ନିକଟରେ ଅଟକାଇ ଫିଲ୍ମ ଷ୍ଟାଇଲରେ ଗାଡି ଉପରକୁ ପେଟ୍ରୋଲ ଭର୍ତ୍ତି ଥିବା ଜରିରେ ନିଆଁ ଲଗାଇ ଫିଙ୍ଗି ଦେଇଥିଲେ। ଡ୍ରାଇଭର ସଙ୍ଗେ ସଙ୍ଗେ ଥାନାକୁ ଦୌଡ଼ିଯାଇ ଘଟଣା ବିଷୟରେ ଜଣାଇଥିଲେ। ଖବରପାଇ ଘଟଣାସ୍ଥଳ ଆଳି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ ଜଳିଯାଇଛି। ସେହିପରି ବଡ଼ବିଲରୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକକୁ ଆଳି ବାଳକାଟି ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅଟକାଇ ପେଟ୍ରୋଲ ଫିଙ୍ଗି ଜାଳିବାକୁ ଉଦ୍ୟମ କରିଥିଲେ। ହେଲେ ସେହି ସମୟରେ ଆଳି ଥାନା ଏସ୍‌ଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ପହଞ୍ଚି ସଙ୍ଗେ ସଙ୍ଗେ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଯୁବକଙ୍କ ଏହି ଉନ୍ମତକାଣ୍ଡ ଏବେ ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l