ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଯୋଡ଼ା ଥାନାରେ ଅଭିଯୋଗ

ଯୋଡ଼ା, ୨୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ତଥା ସହରର ୭ନଂ ଓ୍ବାର୍ଡସ୍ଥିତ କମାରଯୋଡାରେ ରହୁଥିବା ରଂଜିତ ପାତ୍ର ନାମକ ଯୁବକଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଯୋଡ଼ା ଟାଟାଷ୍ଟିଲ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି କରାଯାଇଥିବା ରଞ୍ଜିତଙ୍କ ବାପା ମହେଶ ପାତ୍ର ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ଗତ ୬ ମାସ ହେବ ରଞ୍ଜିତ କମାରଯୋଡାସ୍ଥିତ ଅମିତ ଲୋହାରଙ୍କ ଘରେ ଭଡ଼ାରେ ରହୁଥିଲେ। ଗତ ୨୧ ତାରିଖ ଅପରାହ୍ନରେ ସେ ଭଡ଼ାଘରକୁ ଆସୁଥିବା ବେଳେ ଅମିତ, ଚିଲି, ନାଲୁ, ଅଜୟ ଓ ଅନ୍ୟମାନେ ମିଶି ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଅଭିଯୋଗ ପାଇବା ପରେ ପୋଲିସ ମାମଲା(ନଂ-୨୦୨/ନ୍‌୧୯, ଦଫା ୩୪୧,୨୯୪, .୩୨୩, ୩୨୫, ୫୦୬, ଆଇପିସି ୩୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।