ଯାନ୍ତ୍ରିକ ତ୍ରୁଟି ଯୋଗୁ ସନ୍ଧ୍ୟା ୬ଟାରେ ବି ହୋଇପାରିଲାନି ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ପ୍ରାୟ ୪୮ ଦିନ ପରେ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ସେବା ମେ ୧୨ରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ମେ ୧୧ରେ ଅପରାହ୍ନ ୪ଟାରୁ ଟିକେଟ ବୁକିଂ ଆରମ୍ଭ ହେବାର ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅପରାହ୍ନ ୪ଟା ବଦଳରେ ୬ଟାରେ ପୁଣି ଥରେ ବୁକିଂ ହେବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଥିଲା। ହେଲେ ସନ୍ଧ୍ୟା ୬ଟାରେ ମଧ୍ୟ ସେହି ସମାନ ସମସ୍ୟା ଦେଖାଦେଇଛି। କିଛି ସ୍ଥାନରେ ଆଇଆରସିଟିସିର ଓ୍ବେବସାଇଟ କାମ କରୁଥିବା ବେଳେ ଆଉ କେତେକ ସ୍ଥାନରେ କନେକ୍ସନ୍‌ ସ୍ଲୋ ଓ ଏରର ଦେଖାଉଥିବା ଜଣାପଡ଼ିଛି। ଘରକୁ ଫେରିବା ପାଇଁ ଏକାସମୟରେ ସମସ୍ତେ ଲଗ୍‌ଇନ୍‌ କରୁଥିବାରୁ ଅତ୍ୟଧିକ ଟ୍ରାଫିକ୍‌ ଯୋଗୁ ଓ୍ବେବସାଇଟ୍‌ରେ ସମସ୍ୟା ଦେଖାଯାଉଛି ବୋଲି ରେଲଓ୍ବେ ବିଭାଗ ସୂଚନା ଦେଇଛି। ସୂଚନା ମୁତାବକ ଭାରତୀୟ ରେଲଓ୍ବେ ବିଭାଗ ପକ୍ଷରୁ ମେ ୧୨ରୁ ୧୫ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଏହା ଦିଲ୍ଲୀ ଷ୍ଟେସନରୁ ବାହାରି ଦିବ୍ରୁଗଡ଼, ଅଗରତାଲା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ତିରୁଅନନ୍ତପୁରମ, ମଡଗାଁଓ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜମ୍ମୁ ତଓ୍ବି ପହଞ୍ଚିବ ବୋଲି ସୂଚନା ରହିଛି।

Share