ଯାତ୍ରୀସେବା ଅବ୍ୟାହତ ରଖିବାକୁ ୩ ଦଫା ଦାବି

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅବ୍ୟାହତ ରଖିବା ଏକ ବଡ଼ ଆହ୍ବାନ ହୋଇଥିବା କହିଛି ରାଜ୍ୟ ବସ୍‌ ମାଲିକ ସଂଘ। ସାଧାରଣ ଲୋକେ ସତର୍କତା ଅବଲମ୍ବନ କରୁଥିବା ବେଳେ ଅତ୍ୟନ୍ତ ଜରୁରୀ ନ ଥିଲେ ବସ୍‌ରେ ଯାତ୍ରା କରିବା ଲାଗି ଉଚିତ୍‌ ମନେ କରୁନାହାନ୍ତି। ଏଭଳି ସ୍ଥଳେ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସାୟ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛି। ଏ ନେଇ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ରବିବାର ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କରି ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟରେ ଯାତ୍ରୀସେବାକୁ ଅବ୍ୟାହତ ରଖିବା ପାଇଁ ସେମାନେ ୩ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଦିଆଯାଇଛି। ମାସିକ ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସକୁ ୬ମାସ ପାଇଁ ଛାଡ଼ କରିବା, ବସ୍‌ଗୁଡ଼ିକର ବୀମା ଅବଧିକୁ ସମସ୍ତ ବୀମା କମ୍ପାନୀ ଆସନ୍ତା ୬ମାସ ପାଇଁ ବୃଦ୍ଧି କରିବା, ଅର୍ଥଲଗାଣକାରୀ ସଂସ୍ଥା ଋଣ ଉପରେ ନେଉଥିବା ସୁଧକୁ ୬ମାସ ପାଇଁ ଛାଡ଼ କରିବା, ଋଣ ପରିଶୋଧ ପାଇଁ ୩ ମାସ ସମୟ ଦେବାକୁ ଦାବି କରିଛନ୍ତି। ଏଥିଲାଗି ପଦକ୍ଷେପ ନେବାକୁ ପରିବହନ ବିଭାଗ, ଆଇଆର୍‌ଡିଏ, ରିଜର୍ଭ ବ୍ୟାଙ୍କ୍‌, ଅର୍ଥ ବିଭାଗ ଅଧିକାରୀ ଓ ସଂଘର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକରେ ଆଲୋଚନା ପାଇଁ ଅନୁରୋଧ କରିଛନ୍ତି। ସଂଘର ସଭାପତି ଲୋକନାଥ ପାଢ଼ୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ଓ ମୁଖପାତ୍ର ଦେବାଶିଷ ନାୟକ ପ୍ରମୁଖ ସାମିଲ ଥିଲେ।