Categories: ଜାତୀୟ

ଯାତ୍ରୀଙ୍କଠାରୁ ଅଧିକ ଅଟୋଭଡା ନେବାରୁ କଟିଲା ୮ଲକ୍ଷ ଟଙ୍କାର ଚାଲାଣ

ବେଙ୍ଗାଲୁରୁ,୫।୧୨: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ଲୋକେ ଏକ ପ୍ରକାର ସଜାଗ ହେଇଯାଇଛନ୍ତି ବୋଲି କୁହାଯାଉଛି। ହେଲେ କେତେଜଣ ଲୋକ ଏବେବି ଏହାକୁ ବେଖାତିର କରି ଚାଲିଛନ୍ତି। ଏମାନଙ୍କୁ ଉଚିତ୍‌ ଶିକ୍ଷା ଦେବାକୁ ଏବେ ବେଙ୍ଗାଲୁରୁ ପୋଲିସ ଅଭିନବ ଉପାୟ ଆପଣାଇଛି। ଆଉ ପୋଲିସ ପୋଷାକରେ ନୁହେଁ ବରଂ ସାଦା ପୋଷାକରେ ଯାଇ ନିୟମ ଉଲ୍ଲଂଘନକାରୀଙ୍କ ଚାଲାଣ କଟାଯାଉଛି। ବେଙ୍ଗାଲୁରୁରେ ପ୍ରାୟ ୨୫୦ ପୋଲିସ କର୍ମଚାରୀ ସାଦା ପୋଷାକରେ ସାଧାରଣ ନାଗରିକଙ୍କ ଭଳି ବୁଲୁଛନ୍ତି। ଏଥିରେ ମହିଳା ପୋଲିସ ମଧ୍ୟ ଅଛନ୍ତି। ଏମାନେ ନିୟମ ଉଲ୍ଲଂଘନକାରୀଙ୍କୁ ଦେଖି ସଙ୍ଗେ ସଙ୍ଗେ ଚାଲାଣ କାଟୁଛନ୍ତି। ଦିନ ୧୧ଟାରୁ ଏମାନେ ବିଭିନ୍ନ ଛକ ଓ ଗଳିରେ ବିଶେଷ ଭାବେ ଅଟୋ ଚାଳକଙ୍କ ଉପରେ ନଜର ରଖୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୧୫୭୫ଜଣ ଅଟୋ ଚାଳକ ପୂର୍ବରୁ ବୁକିଂ ରଖି ଯାତ୍ରୀ ନେବାକୁ ମନା କରି ଦେଇଥିବାରୁ ସେମାନଙ୍କର ଚାଲାଣ କଟା ସରିଲାଣି। ସେହିପରି ୧୩୪୬ ଜଣ ଚାଳକ ଆବଶ୍ୟକତାଠାରୁ ଅଧିକ ଭଡା ନେଉଥିବାରୁ ସେମାନଙ୍କର ମଧ୍ୟ ଚାଲାଣ କଟିସାରିଛି। ୨୨୮୨ ଜଣ ଅଟୋ ଚାଳକ ୟୁନିଫର୍ମ ନ ପିନ୍ଧି ଥିବାରୁ ସେମାନଙ୍କର ମଧ୍ୟ ଚାଲାଣ କଟିଛି। କାଗଜ ପତ୍ର ନ ଥିବାରୁ ୪୯୨ ଜଣଙ୍କ ଚାଲାଣ କଟିଥିବା କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ। ଏମିତି ପାଖାପାଖି ୫ହଜାର ଅଟୋ ଚାଳକଙ୍କଠାରୁ ୮ ଲକ୍ଷ ଟଙ୍କାର ଚାଲାଣ କଟାଯାଇଥିବା ସେ କହିଛନ୍ତି।

Share