Categories: ଭଦ୍ରକ

ଯାତାୟାତରେ ବାଧକ ଖୋଳାନାଳ

ଭଣ୍ଡାରିପୋଖରୀ,୧୫।୩(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଲୋକେ ସୁବିଧାରେ ଯାତାୟାତ କରିବା ଲାଗି ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ କେତେକ ସ୍ଥାନରେ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଜନସାଧାରଣଙ୍କ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବାହାଣିଆ ନିକଟ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଟି୨ ନାମରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ବରାହ ନୂଆପଡ଼ା ଗ୍ରାମକୁ ନିର୍ମାଣ ହୋଇଛି। ମାତ୍ର ଏହି ଗ୍ରାମ ନିକଟରେ ଥିବା ଖୋଳାନାଳ ଏବେ ଲୋକଙ୍କ ଯାତାୟାତରେ ବାଧକ ସାଜିଛି। ନାଳରେ ପୋଲ ହୋଇ ନ ଥିବାରୁ ଲୋକେ ଉକ୍ତ ରାସ୍ତା ଦେଇ ଯିବାଆସିବା କରିପାରୁନାହାନ୍ତି।
ପ୍ରକାଶ ଯେ, ଏହି ରାସ୍ତା ପାଇଁ ୨୦୧୬ରେ ତତ୍କାଳୀନ ଏମ୍‌ପି ଓ ବର୍ତ୍ତମାନର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୩ କି.ମି. ରାସ୍ତା ପାଇଁ ୧ କୋଟି ୯୩ ଲକ୍ଷ ୯୩ ହଜାର ୮୮୪ ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ଜରିଆରେ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ନୂଆପଡ଼ା ଗ୍ରାମ ଭିତରେ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ପୂର୍ତ୍ତବିଭାଗ ରାସ୍ତାଠାରୁ ପ୍ରାୟ ୩୦୦ ମିଟର ରାସ୍ତା ନିର୍ମାଣ ବାକି ରହିଛି। ରାସ୍ତା ସମ୍ପୂର୍ଣ୍ଣ ପାଇଁ ବାଧକ ସାଜିଥିଲା ଖୋଳାନାଳ। ବିଭାଗର ଦୂରଦୃଷ୍ଟି ଅଭାବରୁ କେବଳ ରାସ୍ତା ନିର୍ମାଣ ସକାଶେ ଏଷ୍ଟିମେଟ କରାଯାଇ ଟେଣ୍ଡର ଡକାଯାଇଥିବାବେଳେ ନାଳ ଉପରେ ପୋଲ ଲାଗି କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ଠିକାଦାର ପୂର୍ତ୍ତ ରାସ୍ତାଠାରୁ ୧୦୦ ମିଟର କାମ କରି ୨୦୦ ମିଟର ନାଳପଠା ପର୍ଯ୍ୟନ୍ତ ଛାଡ଼ି ଦେଇଛନ୍ତି। ସେହିପରି ଗାଁ ପାଖରୁ ରାସ୍ତାକାମ ହୋଇ ନାଳକୂଳ ପର୍ଯ୍ୟନ୍ତ ପ୍ରାୟ ୨୦୦ ମିଟର ଛଡ଼ାଯାଇଛି। ୩ କି.ମି. ରାସ୍ତା କାମ ଦୁଇବର୍ଷ ତଳେ ସରିଥିଲେ ମଧ୍ୟ ଖୋଳାନାଳ ଉପରେ ପୋଲ ନ ଥିବାରୁ ଗ୍ରାମବାସୀ ପୂର୍ବପରି ହଇରାଣ ହେଉଛନ୍ତି। ଗ୍ରାମର ସ୍କୁଲ, କଲେଜ ଛାତ୍ରୀଛାତ୍ର ଅସୁବିଧା ଭୋଗୁଛନ୍ତି। ରାସ୍ତା ବୁଲି ଯାତାୟାତ କରୁଛନ୍ତି। ଏପରିକି ଜରୁରୀ ସମୟରେ ଦମକଳ କିମ୍ବା ଆମ୍ବୁଲାନ୍ସ ଗଁା ଭିତରକୁ ଆସିବା କଷ୍ଟକର ହୋଇପଡୁଛି। ଏ ନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ରାଜନେତାଙ୍କ ନିକଟରେ ଅଭିଯୋଗ କରୁଥିଲେ ହେଁ କେହି ଦୃଷ୍ଟି ଦେଉ ନ ଥିବା କୁହାଯାଇଛି। ପୋଲ ନିର୍ମାଣ ସମ୍ପର୍କରେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଉପନିର୍ବାହୀ ଯନ୍ତ୍ରୀ ସୁଧାକର ନାୟକଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ସ୍ଥାନରେ ଏକ ବ୍ରିଜ୍‌ ପାଇଁ ପ୍ରସ୍ତାବ ଯାଇଛି। ଅର୍ଥବରାଦ ହେଲେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।