ଯାଜପୁର ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ

ଯାଜପୁର ରୋଡ,୫।୧୨(ନି.ପ୍ର.): ଯାଜପୁର ରୋଡ଼ ଥାନା ଦଳାଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ସମେତ ୮ମାସର ଶିଶୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳା ଓ ଆହତ ଶିଶୁଟିର ପରିଚୟ ମିଳିପାରି ନାହିଁ। ଅନ୍ୟପଟେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚାଳକଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଆମ୍ବୁଲାନ୍ସଟି ପାଣିକୋଇଲିରୁ ଯାଜପୁର ରୋଡ଼ ଅଭିମୁଖେ ଯାଉଥିଲା। ଚାଳକ ଜଣକ ପ୍ରଚୁର ମଦ୍ୟପାନ କରିଥିବାରୁ ଭାରସାମ୍ୟ ହରାଇ ଟ୍ରକ ପଛରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି। ଖବରପାଇ ଯାଜପୁର ରୋଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।