ଯାଜପୁରରୁ ଚିହ୍ନଟ ନୂଆ ୧୪ ଆକ୍ରାନ୍ତ କଟିକଟା ଅଞ୍ଚଳର: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଯାଜପୁର ଜିଲାରେ ଚିହ୍ନଟ ହୋଇଥିବା ସମସ୍ତ ୧୪ ନୂଆ ଆକ୍ରାନ୍ତ କଟିକଟା ଅଞ୍ଚଳର। ପୂର୍ବରୁ ଏଠାରେ ୬ଟି କେସ୍‌ ବାହାରିଥିଲା। ସେମାନେ ପଶ୍ଚିମବଙ୍ଗ ଫେରନ୍ତା ଥିଲେ। ପରେ ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ଅଞ୍ଚଳରେ ମୋଟ ୨୬୯ ପରିବାର ଅଛନ୍ତି। ସେଥିରୁ ବର୍ତ୍ତମାନ ସୁଦ୍ଧା ୨୦୦ ନମୂନା ପରୀକ୍ଷଣ କରାଯାଇଛି। ସେଥିରୁ ଅପରାହ୍ନରେ ୧୪ଟି ପଜିଟିଭ୍‌ ଆସିଛି। ସେହିଭଳି ଅନ୍ୟମାନଙ୍କ ନମୂନା ସଂଗ୍ରହ କରାଯାଉଛି ବୋଲି ଗୁରୁବାର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ସେହିଭଳି ଏତେ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେବା ପରେ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଭୟ କରିବାର ଆବଶ୍ୟକତା ନାହିଁ। ଯଦି ୬ଟି ମାମଲା ଆସିବା ପରେ ସରକାର କଣ୍ଟେନମେଣ୍ଟ ଘୋଷଣା କରି ନ ଥାନ୍ତେ, ତେବେ ପୁରା ଜିଲା ସଂକ୍ରମିତ ହୋଇଥାନ୍ତା। ସିଲ୍‌ ହେବା ଯୋଗୁ ୧୪ଟି ମାମଲା ବାହାରିଛି। ବ୍ୟସ୍ତ ନ ହୋଇ ସରକାରଙ୍କ ପଦକ୍ଷେପକୁ ଜନସାଧାରଣ ସହଯୋଗ କରନ୍ତୁ ବୋଲି ସଚିବ ସଞ୍ଜୟ ସିଂ କହିଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ତେବେ ସକାଳେ ୩ଜଣ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଏଣୁ ଏବେ ଯାଜପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି।