ଯାଆଁଳ ଉତ୍ପାଦନ କେନ୍ଦ୍ର ହେଲାଣି ଜଙ୍ଗଲ

ଆଠମଲ୍ଲିକ, ୯ା୩(ଡି.ଏନ.ଏ.) ସରକାରୀ ଉଦାସୀନତା ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଚରମ ଅବହେଳା ଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାରେ ଥିବା ମାଛ ଯାଆଁଳ କେନ୍ଦ୍ର ଏବେ ଏକପ୍ରକାର ଜଙ୍ଗଲିଆ ପରିବେଶରେ ପରିପୂର୍ଣ୍ଣ ହୋଇଗଲାଣି। ଏଠାରେ ଥିବା ପୋଖରୀଗୁଡିକ ଅନାବନା ଗଛରେ ଭର୍ତ୍ତି ହୋଇ ରହିଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ କଥା ବିଭାଗ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଅଭିଯୋଗ ହେଉଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ୮ଶହରୁ ଊର୍ଦ୍ଧ୍ୱ ମତ୍ସ୍ୟ ଚାଷୀ ଏଠାରୁ ଯାଆଁଳ ନ ପାଇ ହଇରାଣ ହେଉଛନ୍ତି।
ଅଭିଯୋଗ ଅନୁଯାୟୀ, ଦୀର୍ଘ ଦଶ ବର୍ଷରୁ ଊଦ୍ଧର୍‌ବ ହେବ ଆଠମଲ୍ଲିକ ଯାଆଁଳ ଉତ୍ପାଦନ କେନ୍ଦ୍ର ବନ୍ଦ ରହିଛି। ଆଠମଲ୍ଲିକ ସହରର ମଧ୍ୟ ସ୍ଥଳରେ ସାଢେ ୪ ଏକର ଜମିରେ ଏହି କେନ୍ଦ୍ର ଥିବାବେଳେ ଏଠାରେ ୧୦ରୁ ଅଧିକ ପୋଖରୀ ରହିଛି। ଏହି ଉତ୍ପାଦନ କେନ୍ଦ୍ର ଉପରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୮ ଶହରୁ ଊଦ୍ଧର୍‌ବ ମାଛ ଚାଷୀ ନିର୍ଭର କରନ୍ତି। ହେଲେ ଏହା ବନ୍ଦ ହୋଇଯାଇଥିବାରୁ ଚାଷୀମାନେ ବୌଦ୍ଧ, ଅନୁଗୋଳରେ ଥିବା ବେସରକାରୀ ଯାଅଁାଳ ଉତ୍ପାଦନ କେନ୍ଦ୍ରରୁ ଯାଆଁଳ ଆଣି ଚାଷ କରୁଛନ୍ତି। ଏପରିକି ସମ୍ବଲପୁର ଜିଲାର ଚିପିଲିମା ଯାଅଁଳ ଉତ୍ପାଦନ କେନ୍ଦ୍ରରୁ ମଧ୍ୟ ଚାଷୀ ଯାଅଁାଳ ଆଣି ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ହେଁ ଆଠମଲ୍ଲିକ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଏ ନେଇ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଚାଷୀଙ୍କ ସମସ୍ୟା ଦୂର କରାଯିବାକୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ସେହିପରି ଏଠାରେ କାର୍ଯ୍ୟାଳୟ ଥିଲେ ମଧ୍ୟ କୌଣସି କର୍ମଚାରୀ ରହୁ ନ ଥିବାରୁ ତାହା ଅସାମାଜିକଙ୍କ ଆଡାସ୍ଥଳୀରେ ପରିଣତ ହେଲାଣି। ତୁରନ୍ତ ଯାଅଁାଳ ଉତ୍ପାଦନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ଚାଷୀ ମହଲରେ ଦାବି ହୋଇଛି।
ଏ ସମ୍ପର୍କରେ ସ୍ଥାନୀୟ ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ବେହେରା କହିଛନ୍ତି, ୨୦୧୯ରେ ଉକ୍ତ କେନ୍ଦ୍ରକୁ ଠିକା ଦେବା ପାଇଁ ନିଲାମ ଡକା ଯାଇଥିଲା। ମାତ୍ର ଏଥିପାଇଁ କୌଣସି ସଂସ୍ଥା ଆଗ୍ରହ ପ୍ରକାଶ କରି ନ ଥିଲେ। ଏହାଛଡା ବିଭାଗ ତରଫରୁ ଆର୍ଥିକ ବ୍ୟବସ୍ଥା କରାଯାଉ ନ ଥିବାରୁ କେନ୍ଦ୍ରଟି ଏପରି ଅବସହେଳିତ ଅବସ୍ଥାରେ ପଡ଼ିରହିଛି। ବିଭାଗ ଅର୍ଥ ଯୋଗାଇଲେ ପୁନରୁଦ୍ଧାର କରାଯିବା ସହିତ ମତ୍ସ୍ୟ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା। ଏହି କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି।