Categories: ଜାତୀୟ

ଯମୁନା ଏକ୍ସପ୍ରେସ୍‌ ହାଇଓ୍ବେରେ ଦୁର୍ଘଟଣା: ନାଳକୁ ଖସିଲା ଯାତ୍ରୀବାହୀ ବସ୍‌; ୨୯ ମୃତ

ଆଗ୍ରା,୮।୭: ଉତ୍ତରପ୍ରଦେଶ ଯମୁନା ଏକ୍ସପ୍ରେସ୍‌ ହାଇଓ୍ବେରେ ସୋମବାର ଭୋର୍‌ ୪ଟା ୩୦ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗ୍ରାର ଏତ୍‌ମାଦ୍‌ପୁରସ୍ଥିତ ଝରନା ନାଳରେ ଏକ ଯାତ୍ରୀବାହୀ ବସ୍‌ ନିୟନ୍ତ୍ରଣ ହରାଇ ଖସିପଡ଼ିବାରୁ ୨୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ବସ୍‌ଟି ଅବଧ ଷ୍ଟାଣ୍ଡରୁ ବାହାରି ଥିଲା। ଏହା ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ପୋଲିସ ସୂଚନା ଦେଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବା କୁହାଯାଉଛି। ଉତ୍ତରପ୍ରଦେଶ ପରିବହନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ ଲାଗି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଦୁଃଖ ପ୍ରକାଶ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share