Categories: କନ୍ଧମାଳ

ଯବାନ-ମାଓବାଦୀ ଗୁଳି ବିିନିମୟ

ଫୁଲବାଣୀ ଅଫିସ, ୧୯ା୧-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ନିକଟ ଜଙ୍ଗଲରେ ଏସ୍‌ଓଜି ଯବାନ ଏବଂ ମାଓବାଦୀ ଶୁକ୍ରବାର ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ ହେଁ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ମାଓବାଦୀମାନେ କ୍ୟାମ୍ପ ଛାଡି ପଳାଇଥିବା ଜଣାପଡିଛି। ସୁମରବନ୍ଧ ଅଞ୍ଚଳରେ ଥିବା ଜଙ୍ଗଲରେ ମାଓବାଦୀ ଚଳପ୍ରଚଳ ହେଉଥିବା ସୂଚନା ମିଳିଥିଲା। ଶୁକ୍ରବାର ଏସ୍‌ଓଜି ଟିମ୍‌ କୋମ୍ବିଂ ଅପରେଶନରେ ଯାଇଥିଲେ। ଅପରେଶନ ଚାଲିଥିବା ସମୟରେ ସକାଳ ପ୍ରାୟ ୮ଟାବେଳେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ଏସ୍‌ଓଜି ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଯବାନଙ୍କ ଆକ୍ରମଣକୁ ପ୍ରତିହତ କରିନପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ କ୍ୟାମ୍ପ ଛାଡି ପଳାଇଥିଲେ। ଏହାପରେ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଜାରି ରହିଥିଲା। ସନ୍ଧ୍ୟାରେ ପୁଣି ମାଓବାଦୀଙ୍କ ତରଫରୁ ଗୁଳି ଚାଳନା ହୋଇଥିଲା। କିଛି ସମୟ ଗୁଳି ବିନିମୟ ପରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ଯବାନମାନେ କ୍ୟାମ୍ପ ଉପରେ ଚଢାଉ କରି ମାଓବାଦୀ ଛାଡି ଯାଇଥିବା ବିପୁଳ ପରିମାଣର ସାମଗ୍ରୀ ଜବତ କରିଛନ୍ତି। ଯବାନମାନେ ସେଠାରୁ ଫେରି ନାହାନ୍ତି। ତେଣୁ କ’ଣ ଜବତ ହୋଇଛି ଏବଂ କିଏ ମୃତାହତ ହୋଇଛନ୍ତି କି ନାହିଁ ସେନେଇ ସୂଚନା ମିଳିନାହିଁ। ଫେରିଲା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଏସ୍‌ପି ପ୍ରତୀକ ଗୀତା ସିଂ ସୂଚନା ଦେଇଛନ୍ତି।