ମୟୂରଭଞ୍ଜରେ ଖୋଲିଲା ୨୪ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର

ବାରିପଦା ଅଫିସ,୨ା୬- ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ କୋଭିଡ୍‌ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜିଲାର ସମସ୍ତ ଉପଖଣ୍ଡ ଅନ୍ତର୍ଗତ ସହରାଞ୍ଚଳ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ୨୪ଟି ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର ଖୋଲାଯାଇଛି। ଏଥିରେ ମୋଟ ୧୩୧୬ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାର ବାଙ୍କିଶୋଳଠାରେ କୋଭିଡ୍‌ ହସ୍ପିଟାଲ ଖୋଲିଥିବା ବେଳେ ସେଠାରେ ପଜିଟିଭ ଆକ୍ରାନ୍ତମାନଙ୍କୁ ରଖାଯାଇ ଚିକିତ୍ସିତ କରାଯାଉଛି। ଏଠାରେ ୨୦୦ ସଂଖ୍ୟକ ଶଯ୍ୟା ରହିଛି। ଯଦି ଆଗାମୀ ଦିନରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୁଦ୍ଧି ହୁଏ ତେବେ ଏହି ନୂତନ ୨୪ଟି ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟରରେ ସେମାନଙ୍କୁ ଚିକିତ୍ସିତ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।
ଉଦଳା ଉପଖଣ୍ଡର କପ୍ତିପଦାଠାରେ ୫୦ ଶଯ୍ୟା, ଗୋପବନ୍ଧୁନଗରରେ ୫୦, ଉଦଳା ଆଞ୍ଚଳିକ ବିଜ୍ଞାପନ ପରିଷଦ ଓ ବ୍ଲକରେ ୧୦୦, ଖୁଣ୍ଟାରେ ୫୦, କରଞ୍ଜିଆ ଉପଖଣ୍ଡର କରଞ୍ଜିଆର ତାଟୋଠାରେ ୫୦, ଠାକୁରମୁଣ୍ଡାରେ ୩୮, ଯଶିପୁରରେ ୩୬ ଓ ଶୁକୃଳିରେ ୪୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିପରି ରାଇରଙ୍ଗପୁର ଉପଖଣ୍ଡ କୁସୁମିରେ ୫୦, ବିଜାତଳାରେ ୬୦, ଜାମଦା ବ୍ଲକରେ ୮୦, ବହଳଦାରେ ୫୦, ରାଇରଙ୍ଗପୁରରେ ୫୦, ବିଶୋଇରେ ୫୦, ତିରିଂରେ ୫୦ ଓ ରାଇରଙ୍ଗପୁର ପୌର ପରିଷଦରେ ୧୧୬ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିଭଳି ବାରିପଦା ଉପଖଣ୍ଡରେ ଥିବା ରାସଗୋବିନ୍ଦପୁର ବ୍ଲକରେ ୫୦, କୁଳିଅଣାରେ ୪୦, ବାରିପଦା ବ୍ଲକରେ ୫୦, ବାଙ୍ଗିରିପୋଷିରେ ୪୦, ଶୁଳିଆପଦାରେ ୪୦, ମୋରାଡ଼ାରେ ୪୦ ବେଡ୍‌, ବଡସାହିରେ ୪୦ ଓ ବାରିପଦା ପୌରପରିଷଦ ଅଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର ବ୍ୟବସ୍ଥା କରାଯାଇଛି।