Categories: ଖେଳ

ମ୍ୟାଚ୍‌ ମଝିରେ କଫି ମଗାଇଲେ ଟେନିସ ଷ୍ଟାର

ନ୍ୟୁୟର୍କ,୨୯।୮: କଫି ପିଇବା କ୍ରୀଡ଼ାବିତଙ୍କ ମଧ୍ୟରେ ସାଧାରଣ କଥା। ତେବେ ମ୍ୟାଚ୍‌ ମଝିରେ କଫି ମଗାଇବା ନିଶ୍ଚିତ ଭିନ୍ନ ଘଟଣା। ଏଠାରେ ଚାଲିଥିବା ଚଳିତ ସିଜନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଇଲିନା ସ୍ବିତୋଲିନାଠାରୁ ପ୍ରଥମ ସେଟ୍‌ ହାରିବା ପରେ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଭେନସ ଓ୍ବିଲିୟମ୍ସଙ୍କୁ କଫି ଦରକାର ପଡ଼ିଥିଲା। ଏଣୁ ସେ ମ୍ୟାଚ୍‌ ମଝିରେ କଫି ମଗାଇଥିଲେ। କିନ୍ତୁ ୩୯ ବର୍ଷୀୟା ଷ୍ଟାରଙ୍କ ଅର୍ଡର ଦୁର୍ଭାଗ୍ୟବାଶତଃ ପ୍ରଥମେ ପୂରା ହୋଇ ପାରି ନ ଥିଲା। ଏହାପରେ ମ୍ୟାଚ୍‌ର ବିରତି ସମୟରେ ପୂର୍ବତନ ୟୁଏସ୍‌ ଓପନ ଚାମ୍ପିୟନ କୋର୍ଟ ଛାଡ଼ି ଲକର ରୁମକୁ ଯାଇଥିଲେ। ସେ କୋର୍ଟକୁ ଫେରିବାବେଳକୁ ତାଙ୍କ ସିଟ୍‌ ନିକଟରେ କଫି ରଖାଯାଇଥିଲା। ହେଲେ ଏହା ତାଙ୍କୁ କିଛି ଫାଇଦା ଦେଇପାରି ନ ଥିଲା। ଦ୍ୱିତୀୟ ସେଟ୍‌ରେ ଭେନସ ୩-୦ ବ୍ୟବଧାନରେ ଆଗୁଆ ଥିଲେ। କିନ୍ତୁ  ୫ମ ସିଡ୍‌ ସ୍ବିତୋଲିନା ୬-୪ ସେଟ୍‌ରେ ମ୍ୟାଚ୍‌ ହାତେଇ ନେଇଥିଲେ। ସେ ସମାନ ବ୍ୟବଧାନରେ ପ୍ରଥମ ସେଟ୍‌ ମଧ୍ୟ ଜିତିଥିଲେ। ତେବେ ମ୍ୟାଚ୍‌ ମଝିରେ ଭେନସଙ୍କ କଫି ମଗାଇବାର ଏହା ପ୍ରଥମ ଘଟଣା ନୁହେଁ। ଚଳିତ ମାସରେ ଅନୁଷ୍ଠିତ ହୋଇଥିବା ସିନସିନାଟି ମାଷ୍ଟର୍ସରେ ଡୋନ୍ନା ଭେକିଙ୍କ ବିପକ୍ଷ ମ୍ୟାଚ୍‌ରେ ଓ୍ବିଲିୟମ୍ସ କୋଚ୍‌ଙ୍କ ହାତରେ ଗୋଟେ କପ କଫି ମଗାଇଥିଲେ।

Share