Categories: ଖେଳ

ମ୍ୟାକ୍‌ଗ୍ରାଥଙ୍କୁ କ୍ଷମା କରିନାହାନ୍ତି ଭାରତୀୟ ପ୍ରଶଂସକ

ଡାଭୋସ,୨୭।୧(ପି.ଟି.)- ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ପେସର ଗ୍ଲେନ ମ୍ୟାକ୍‌ଗ୍ରାଥଙ୍କୁ ଭାରତୀୟ କ୍ରିକେଟ ପ୍ରଶଂସକ କ୍ଷମା କରିନାହାନ୍ତି। ୨୦୦୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ୩୫୯ ରନ୍‌ର ଟାର୍ଗେଟ ଛିଡ଼ା କରିଥିଲା। ପ୍ରଥମ ଓଭରରେ ହିଁ ଭାରତର ଆଶା ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ୟାଚ୍‌ ଆଉଟ କରି ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଏହି ଘଟଣା ଲାଗି ଭାରତୀୟ ପ୍ରଶଂସକାମାନେ ଏବେ ମଧ୍ୟ ଖୁବ୍ଧ ଅଛନ୍ତି। ମ୍ୟାକ୍‌ଗ୍ରାଥ ଓ୍ବାଲର୍‌ଡ ଇକୋନୋମିକ ଫୋରମ (ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ବୈଠକରେ ଯୋଗଦେଇ ଏହା କହିଛନ୍ତି। କିନ୍ତୁ ଉକ୍ତ ଘଟଣାକୁ ଭୁଲି ସଚିନ ଓ ମ୍ୟାକ୍‌ଗ୍ରାଥ ଏବେ ଭଲ ବନ୍ଧୁ ପାଲଟି ଯାଇଛନ୍ତି। ଏପରି କି କୌଣସି କାର୍ଯ୍ୟ ପାଇଁ ମୁମ୍ବାଇ ଆସିଲେ ସଚିନଙ୍କୁ ଦେଖା କରିବା ଭୁଲନ୍ତି ନାହିଁ ମ୍ୟାକ୍‌ଗ୍ରାଥ। ମୁଁ ପ୍ରଶିକ୍ଷଣ ପାଇଁ ବହୁବାର ଭାରତ ଯାଉଛି। ସେଠାରେ ମୋର ବହୁତ ବନ୍ଧୁ ମଧ୍ୟ ଅଛନ୍ତି। ମାତ୍ର କିଛି ବନ୍ଧୁ କୁହନ୍ତି, ସେମାନେ ୨୦୦୩ ବିଶ୍ୱକପ୍‌ ଫାଇନାଲ ପାଇଁ ମୋତେ କଦାପି କ୍ଷମା ଦେବେ ନାହିଁ। ୨୦୦୩ ଫାଇନାଲ ଜୋହାନ୍ସବର୍ଗଠାରେ ଖେଳାଯାଇଥିଲା। ଷ୍ଟାଡିୟମ ୯୦ ପ୍ରତିଶତ ଫୁଲ୍‌ ଥାଏ। ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ ୯୫ ପ୍ରତିଶତ ଭାରତକୁ ସମର୍ଥନ କରୁଥାନ୍ତି। କାରଣ ସେମାନେ ଦକ୍ଷିଣ ଆଫ୍ରିକାର ସମର୍ଥକ। ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଥିବା ଦଳର ସମର୍ଥନ କରୁଥିଲେ। ମୁଁ ପ୍ରଥମ ଓଭର ବୋଲିଂ କରୁଥାଏ। ଆରମ୍ଭରୁ ୩ ବଲରେ ସଚିନ କିଛି ରନ୍‌ କରିପାରି ନ ଥିଲେ। ଚତୁର୍ଥ ବଲକୁ ସଚିନ ପୁଲ୍‌ ଶଟ ଲଗାଇ ୪ ରନ୍‌ ହାସଲ କରିଥିଲେ। ମୁଁ ପରବର୍ତ୍ତୀ ବଲ ବାଉନ୍ସର ମାରିଥିଲି, ଯାହାକୁ ସଚିନ ପୁଲ୍‌ ଶଟ ଖେଳିଥିଲେ। ମାତ୍ର ବଲଟି ସିଧା ଉପରକୁ ଯାଇଥିଲା। ଆଉ ମୁଁ ସହଜରେ କ୍ୟାଚ୍‌ ଧରିଥିଲି। ମୁଁ ବହୁତ ଖୁସି ଥିଲି। ଉପସ୍ଥିତ ଦଶର୍କ ଓ ଭାରତୀୟ ଫ୍ୟାନଙ୍କ ମଧ୍ୟରେ ନିରାଶା ଖେଳିଯାଇଥିଲା।

Share