Categories: ଜାତୀୟ

ମୌସୁମୀ ନେଇଛି ୨,୩୯୧ ଜୀବନ

ନୂଆଦିଲ୍ଲୀ,୧୯ା୧୧(ପି.ଟି.):ଚଳିତବର୍ଷ ମୌସୁମୀ ଋତୁରେ ବର୍ଷା, ବନ୍ୟା ଓ ତଜ୍ଜନିତ କାରଣରୁ ୨,୩୯୧ ଜଣଙ୍କ ଜୀବନ ଯାଇଥିବାବେଳେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଯାଇଛି। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ମଙ୍ଗଳବାର ଲୋକ ସଭାରେ ଏହି ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁ ବିଭିନ୍ନ ରାଜ୍ୟରେ ବାଦଲଫଟା ବର୍ଷା, ଭୂସ୍ଖଳନ ଓ ବନ୍ୟା ଦେଖାଦେଇଥିବାବେଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଯବାନମାନଙ୍କୁ ବ୍ୟାପକ ଭାବେ ମୁତୟନ କରାଯାଇଥିଲା। ୧୭୬ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ୯୮,୯୬୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ୨୩,୮୬୯ ଜଣଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇଥିଲେ। ସେହିପରି ୬୧୭ ପ୍ରାଣୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଚିକିତ୍ସା ଯୋଗାଇ ଦିଆଯାଇଥିଲା। ୬୩.୯୭୫ ଲକ୍ଷ ହେକ୍ଟର ଚାଷଜମିର ଫସଲ ନଷ୍ଟ ହୋଇଯାଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ରିପୋର୍ଟ ମିଳିଥିବା ନିତ୍ୟାନନ୍ଦ ଉତ୍ତର ଦେଇଛନ୍ତି।

Share