Categories: ଜାତୀୟ

ମୋ ସ୍ବାମୀଙ୍କୁ ସିବିଆଇ ମାରିଦେଇଛି

କୋଲକାତା,୧୫ା୧୨: ଗତ ମାର୍ଚ୍ଚ ୨୧ରେ ପଶ୍ଚିମବଙ୍ଗସ୍ଥିତ ବୀରଭୂମ ଜିଲା ରାମପୁରହାଟରେ ଅଭାବନୀୟ ଘଟଣା ଘଟିଥିଲା। ବୋରତୁଲ ଗ୍ରାମରେ ଭୋରରେ ଏକ ଭସ୍ମୀଭୂତ ଘରୁ ୨ ଶିଶୁ ଓ ଅନ୍ୟ ୭ ଜଣଙ୍କ ମୃତଦେହ ଜବତ ହୋଇଥିବାବେଳେ ଆଉ ଜଣେ ଆହତ ହସ୍ପିଟାଲରେ ଆଖି ବୁଜିଦେଇଥିଲେ। ପୂର୍ବ ରାତି ୮ଟା ୩୦ରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ନେତା ତଥା ବର୍ଶାଲ ଗ୍ରାମର ପଞ୍ଚାୟତ ଉପମୁଖ୍ୟ ଭାଦୁ ଶେଖ୍‌ଙ୍କୁ ହତ୍ୟା କରାଯିବା ପରେ ଏହି ଘଟଣା ଘଟିଥିବାରୁ ରାଜନୀତି ସରଗରମ ହୋଇଥିଲା। ପରେ ମାମଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତକୁ ଯାଇଥିଲା। ସିବିଆଇ ତଦନ୍ତ କରି କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଗଣହତ୍ୟାର ଅଭିଯୁକ୍ତ ଲଲନ ଶେଖ୍‌ ଅନ୍ୟତମ। ସୋମବାର ଲଲନଙ୍କ ମୃତଦେହ ସିବିଆଇ କ୍ୟାମ୍ପ ଅଫିସର ଓ୍ବାଶ୍‌ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ରାମପୁରହାଟ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। କିନ୍ତୁ ଲଲନଙ୍କ ସମ୍ପର୍କୀୟମାନେ ସିବିଆଇ ଅଧିକାରୀମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ।

ସେମାନେ ତାଙ୍କ ମୃତଦେହକୁ ତଦନ୍ତକାରୀ ସଂସ୍ଥାର କ୍ୟାମ୍ପ୍‌ ଅଫିସକୁ ନେଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ବେଳେ ଅଫିସରେ ମୁତୟନ ସୁରକ୍ଷା କର୍ମୀଙ୍କ ସହ ବିବାଦ ହୋଇଥିଲା। ଲଲନଙ୍କ ସ୍ତ୍ରୀ ରେଶମା ବିବି କହିଥିଲେ, ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ସିବିଆଇ ଅଫିସରମାନେ ଦାୟୀ। ସେମାନଙ୍କୁ ଦଣ୍ଡ ଦିଆଯାଉ। ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରା ନ ଗଲେ ସ୍ବାମୀଙ୍କ ଶେଷକୃତ୍ୟ ସମ୍ପନ୍ନ କରିବୁ ନାହିଁ। ଏପରି କି ଲଲନଙ୍କ ମୃତ୍ୟୁ ପରେ ତାଙ୍କୁ କାହିଁକି ଦେଖିବାକୁ ଦିଆଗଲା ନାହିଁ? ଏଥିରେ ନିଶ୍ଚିତ ଭାବେ କିଛି ରହସ୍ୟ ରହିଛି ବୋଲି ରେଶମା ଅଭିଯୋଗ ଆଣିଥିଲେ। କେବଳ ଏତିକି ନୁହେଁ, ସ୍ବାମୀଙ୍କ ବିରାଧରେ ଥିବା ମାମଲା ଚପାଇଦେବା ପାଇଁ ସିବିଆଇ ଅଧିକାରୀମାନେ ତାଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ରେଶମା କହିଛନ୍ତି।

ଅନ୍ୟପକ୍ଷେ ୧୦ ଜଣଙ୍କୁ ହତ୍ୟା କରିଥିବା ଲଲନ ନିଜେ ଆମତ୍ହତ୍ୟା କରିଥିବା ପୋଲିସ କହିଛି। ଇତିମଧ୍ୟରେ ସିବିଆଇ ହାଜତରେ ଲଲନଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ରାଜ୍ୟର କ୍ରାଇମ୍‌ ଇନ୍‌ଭେଷ୍ଟିଗେଶନ ଡିପାର୍ଟମେଣ୍ଟ (ସିଆଇଡି) ନେଇଛି। ଅନ୍ୟପକ୍ଷେ ହାଜତ ମୃତ୍ୟୁ ଘଟଣାରେ ପଶ୍ଚିମବଙ୍ଗ ପୋଲିସ ୭ ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ଜଣେ ଡିଆଇଜି ଏବଂ ଜଣେ ଏସ୍‌ପି ଅଛନ୍ତି। ଉକ୍ତ ଏଫ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି ସିବିଆଇ କାଲ୍‌କାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Share