ମୋ ସରକାର କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ବୈଠକ

ଛତ୍ରପୁର,୨୭ା୯(ଡି.ଏନ.ଏ)- ଅକ୍ଟୋବର ୨ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ ା ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ା ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଅଧ୍ୟକ୍ଷତା କରିଥିଲେ ା ଥାନାକୁ କେହି ବ୍ୟକ୍ତି ଆସିଲେ ତାଙ୍କ ଅଭିଯୋଗ ଶୁଣିବା ସହ ତାଉପରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଅଭିଯୋଗକାରୀଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ମୋ ସରକାର କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ବୈଠକରେ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଥାନାଗୁଡିକରେ ନିୟମିତ ଆମ ପୋଲିସ ବୈଠକ କରି ଗୁଣିଗାରେଡ଼ି ସନ୍ଦେହ ଦୂର, ଅଘଟଣ ଆଶଙ୍କା ଓ ଅସୁବିଧା ହେଲେ ପୋଲିସକୁ ଜଣାଇବା, ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଥିଲା। ସେହିପରି ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ସେବା ପ୍ରଦାନ ସହ ସେମାନଙ୍କ ଘରକୁ ଯାଇ ଅସୁବିଧା ସମ୍ପର୍କରେ ପଚାରିବାକୁ ଗୁରୁତ୍ୱ ଦିଆଯାଇଥିଲା ା ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କକୁ ଠିକ୍‌ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁରୁଣା ଅପରାଧୀଙ୍କ ଉପରେ ନଜର ରଖିବା, ହେଲମେଟ୍‌ ଯାଞ୍ଚ, ନିୟମିତ ପାଟ୍ରୋଲିଂ, ଅବକାରୀ ଧରପଗଡ କରିବାକୁ କୁହାଯାଇଥିଲା। ବୈଠକରେ ଅତିରିକ୍ତ ଏସପି ପତିତପାପବନ ଚୌଧୁରୀ, ଆରଟିଓ ସଞ୍ଜୟ ବିଶ୍ୱାଳଙ୍କ ସମେତ ଡିଏସ୍‌ପି, ଏସଡିପିଓ ଓ ଥାନା ଆଇଆଇସିମାନେ ଯୋଗ ଦେଇଥିଲେ।