‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କଲେ ଅନ୍ତରୀଣ ଡିଜିପି: ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଭିଯୋଗକାରୀ ସନ୍ତୁଷ୍ଟ

ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ)-‘ହ୍ୟାଲୋ ମୁଁ ଡିଜିପି ସତ୍ୟଜିତ ମହାନ୍ତି କହୁଛି। ଆପଣ ଥାନାକୁ ଯାଇ ଅଭିଯୋଗ କରିଥିଲେ, ପୋଲିସ ଠିକ୍‌ କାର୍ଯ୍ୟାନୁଷ୍ଠାନ ନେଇଛି କି? ଥାନା ଅଧିକାରୀ ଓ କର୍ମଚାରୀଙ୍କ ବ୍ୟବହାର ଆପଣଙ୍କ ପ୍ରତି କିଭଳି ଥିଲା? ପୋଲିସର କାର୍ଯ୍ୟ ଉପରେ ଆପଣ ସନ୍ତୁଷ୍ଟ କି?’ ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେବା ପରେ ପ୍ରଥମଥର କରି ଡା. ସତ୍ୟଜିତ ମହାନ୍ତି ଭୁବନେଶ୍ୱର ଡିଜିପି କ୍ୟାମ୍ପ ଅଫିସରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସେ ବିଭିନ୍ନ ଜିଲାର ୧୦ଜଣ ଅଭିଯୋଗକାରୀଙ୍କ ସହ ସିଧାସଳଖ ଫୋନ୍‌ରେ କଥା ହୋଇ ଏଭଳି ମତାମତ ନେଇଛନ୍ତି। ଏହି ଆଧାରରେ ଡିଜିପି ଉକ୍ତ ଥାନାକୁ ଅନ୍‌ଲାଇନ୍‌ ମାଧ୍ୟମରେ ମାର୍କ ମଧ୍ୟ ଦେଇଛନ୍ତି। ଯେଉଁ ଥାନା ବିରୋଧରେ ଖରାପ ମାର୍କ ଆସୁଛି ସେହି ଥାନା ଅଧିକାରୀଙ୍କୁ ତାଗିଦ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ସତ୍ୟଜିତ ମହାନ୍ତି କହିଛନ୍ତି। ପ୍ରଥମେ ଡିଜିପି ମହାନ୍ତି ପୁରୀ ଜିଲା କୁମ୍ଭାରପଡା ଥାନାଞ୍ଚଳର ଜଣେ ଅଭିଯୋଗକାରୀଙ୍କ ସହ କଥା ହୋଇଥିଲେ। ପରେ କଟକ, ଜଗତପୁର, ଟିଟିଲାଗଡ, କନ୍ଧମାଳ, ଭଦ୍ରକ ଗ୍ରାମାଞ୍ଚଳ ଓ ଟାଉନ ଥାନାରେ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ସହ ଡିଜିପି କଥା ହୋଇ ଫିଡ୍‌ବ୍ୟାକ୍‌ ନେଇଥିଲେ। ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ଦିନଠାରୁ ଆଜିପର୍ଯ୍ୟନ୍ତ ଥାନାରେ ରୁଜୁ ହୋଇଥିବା ମାମଲାଓ ଟୋଲ ଫ୍ରି ନଂ.୧୪୫୪୫କୁ ଆସୁଥିବା କଲ୍‌ ଅନୁଯାୟୀ ପ୍ରାୟ ୨୪ ହଜାର ଲୋକଙ୍କର ମତାମତ ନିଆଯାଇଛି। ପ୍ରାୟ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ପୋଲିସ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ଡିଜିପି ମହାନ୍ତି କହିଛନ୍ତି। ଅଭିଯୋକାରୀଙ୍କୁ ସୁହାଇଲା ଭଳି ନୁହେଁ, ନିରପେକ୍ଷ ଓ ଆଇନ ମୁତାବକ କରାଯିବ। ଯେପରି ପୋଲିସ ଅଭିଯୋଗକାରୀଙ୍କୁ ଭଲ ବ୍ୟବହାର କରିବ ଓ ତଦନ୍ତ କରି ତ୍ୱରିତ ପଦେକ୍ଷପ ନେବ, ତାହା ଉପରେ ଗୁରୁତ୍ୱ ଦିଆଉଛି ବୋଲି ସେ ସୂଚନା ଦେଇଛନ୍ତି। ସମୀକ୍ଷା ସମୟରେ ଷ୍ଟେଟ୍‌ କ୍ରାଇମ ରେକର୍ଡ ବ୍ୟୁରୋ (ଏସ୍‌ସିଆଆର୍‌ବି)ର ନିର୍ଦ୍ଦେଶକ ରାଜେଶ କୁମାର ଉପସ୍ଥିତ ଥିଲେ।