‘ମୋ ସରକାର’ରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି। ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ବିଭାଗକୁ ବିଧିବଦ୍ଧ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବିଭାଗରେ ୩.୩୦ କୋଟି ଲାଭାର୍ଥୀ ଅଛନ୍ତି। ମୋ ସରକାରରେ ସାମିଲ ହେବା ପରେ ବିଭାଗ ଦକ୍ଷତା ପରିପୁଷ୍ଟ ହେବ। ଏହାଛଡ଼ା ବିଭାଗ ପକ୍ଷରୁ ଖାଉଟି ସାମଗ୍ରୀର ହୋମ ଡେଲିଭରି, ଯେକୌଣସି ସ୍ଥାନରେ ପିଡିଏସ୍‌ର ସୁବିଧା ଏବଂ ପିଡିଏସ୍‌ରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଯୋଗଦାନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ଲୋକଙ୍କ ପାଇଁ ଲାଭଦାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ବୃତ୍ତିଗତ ସେବାରେ ପରିବର୍ତ୍ତନ ଆଣିବା ଲାଗି ୫-ଟି ବେଶ୍‌ ସହାୟକ ହେବ। ଏ ନେଇ ବିଭିନ୍ନ ସ୍ତରରେ ହେଲ୍ପ ଡେସ୍କ ଖୋଲାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ୫-ଟି ସଚିବ, ଉନ୍ନୟନ କମିଶନର ଏବଂ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।