‘ମୋ ବସ୍‌’କୁ ବର୍ଷେ:ମୋ ବସ୍‌ରେ ଆସି ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬।୧୧(ବ୍ୟୁରୋ):ରାଜ୍ୟରେ ‘ମୋ ବସ୍‌’ ସେବାକୁ ବର୍ଷେ ପୂରିଛି। ଏହି ଅବସରରେ ବୁଧବାର ସନ୍ଧ୍ୟାରେ କ୍ରୁଟ୍‌ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା କାର୍ଯ୍ୟକ୍ରମ ରହିଥିବାବେଳେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନାନୁସାରେ, ବୁଧବାର ସନ୍ଧ୍ୟାରେ ନିୟମିତ ଭାବେ ଚଳାଚଳ କରୁଥିବା ଏକ ‘ମୋ ବସ୍‌’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବ ସ୍ଥଳ ସୂଚନା ଭବନ ପର୍ଯ୍ୟନ୍ତ ଆସିବେ। ଏହି ସମୟରେ ତାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉକ୍ତ ବସ୍‌ରେ ଆସିବାକୁ ସ୍ଥିର ହୋଇଛି। ସେହିଭଳି କାର୍ଯ୍ୟକ୍ରମରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା କେତେଜଣ ଗାଇଡ୍‌ ଓ କ୍ୟାପଟେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବେ। ଗତ ଅକ୍ଟୋବର ୧୪ ,୧୫ ଓ ୨୧ ତାରିଖରେ ଯାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବାରୁ କ୍ରୁଟ୍‌ର ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।