‘ମୋ ଗୋପାଳପୁର କାର୍ଯ୍ୟକ୍ରମ’ ଉଦ୍‌ଘାଟିତ: ପାଷ୍ଟିକ୍‌, ପଲିଥିନ ଛାଡ଼, ଗୋପାଳପୁର ଓ ବେଳାଭୂମି ସୁନ୍ଦର ରହିବ : ଜିଲାପାଳ

ଗୋପାଳପୁର,୯।୮: ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଭିନବ ପ୍ରୟାସରେ ‘ମୋ ଗୋପାଳପୁର କାର୍ଯ୍ୟକ୍ରମ’ ତଥା ବେଳାଭୂମି ସାମୂହିକ ସଫେଇ ଅଭିଯାନ ଆରମ୍ଭ ହୋଇଛି। ଶୁକ୍ରବାର ସକାଳେ ଜିଲାପାଳଙ୍କ ନେତୃତ୍ୱରେ ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ଭାବେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନିଜେ ଜିଲାପାଳ କୁଲାଙ୍ଗେଙ୍କ ସହ ଅତିଥି, ବରିଷ୍ଠ ନାଗରିକ ଓ ଛାତ୍ରୀଛାତ୍ରମାନେ ବେଳାଭୂମିରୁ ପ୍ଲାଷ୍ଟିକ, ପଲିଥିନ ଓ କାଚ ସଫା କରିଥିଲେ। ଏହି କାର୍ଯ୍ୟକ୍ରମ ୬ ଦିନ ଧରି ହେବାକୁ ଥିବା ବେଳେ ପାଷ୍ଟିକ୍‌ ଓ ପଲିଥିନ ଛାଡ଼, ବେଳାଭୂମି ସୁନ୍ଦର ରହିବ, ଆମ ଗୋପାଳପୁର ସ୍ବଚ୍ଛ ସୁନ୍ଦର ରହିଲେ ବ୍ୟବସାୟରେ ଉନ୍ନତି ଘଟିବ ବୋଲି ଜିଲାପାଳ କହିଥିଲେ। ଏହାସହ ପ୍ରତି ରବିବାର ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି। ଏହି ଅବସରରେ ବରିଷ୍ଠ ନାଗରିକ ଓ ଛାତ୍ରୀଛାତ୍ରୀ ବିଭିନ୍ନ ପ୍ଲାକାର୍ଡ ଧରି ଲୋକଙ୍କୁ ସଚେତନତା କରାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁ, ଲକ୍ଷ୍ମୀକାନ୍ତ ସେଠୀ, ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ, କନିଷି ଭାରପ୍ରାପ୍ତ ତହସିଲଦାର ଅନିତା ସାହୁ, ଗୋପାଳପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।