‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ: ପୁଷ୍ଟିହୀନମୁକ୍ତ ପଞ୍ଚାୟତକୁ ମିଳିବ ପୁରସ୍କାର

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ରାଜ୍ୟରେ ୨୦୦୫-୦୬ ବେଳକୁ ଶିଶୁ ମୃତ୍ୟୁହାର ୬୫% ଥିବାବେଳେ ୨୦୧୫-୧୬ ବେଳକୁ ହ୍ରାସ ପାଇ ୪୦%ରେ ପହଞ୍ଚତ୍ଛି। ଶିଶୁ ମୃତ୍ୟୁର ପ୍ରମୁଖ କାରଣ ପୁଷ୍ଟିହୀନତା। ରାଜ୍ୟକୁ ପୁଷ୍ଟିହୀନମୁକ୍ତ କରିବା ପାଇଁ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଯୋଜନାରେ ଲୋକେ ପନିପରିବା ବାଡ଼ିବଗିଚାରେ ଲଗାଇପାରିବେ। ସରକାର ଲୋକଙ୍କୁ ମଞ୍ଜି ବାଣ୍ଟିବା ସହ ପ୍ରଶିକ୍ଷଣ ଦେବେ। ଏହାଦ୍ୱାରା ଲୋକେ ଜୈବିକ ପନିପରିବା ପାଇପାରିବେ ଏବଂ ରାଜ୍ୟକୁ ପୁଷ୍ଟିହୀନମୁକ୍ତ କରିହେବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଅଜିମ୍‌ ପ୍ରେମ୍‌ଜୀ ଫିଲାନ୍‌ଥ୍ରୋପିକ ସଂସ୍ଥା ସହଯୋଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଏବଂ ରାଜ୍ୟ ଜୀବିକା ମିଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ‘ପୁଷ୍ଟିସାର ପ୍ରୋତ୍ସାହନ ଅନ୍ତର୍ଜାତୀୟ କର୍ମଶାଳା’ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଜେନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ପୁଷ୍ଟିହୀନମୁକ୍ତ ପଞ୍ଚାୟତଗୁଡ଼ିକୁ ରାଜ୍ୟ ସରକାର ପୁରସ୍କୃତ କରିବେ ବୋଲି ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ କହିଥିଲେ। ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମରେ ମହିଳାମାନେ ଚାଷବାସର ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରିବେ ବୋଲି କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଥିଲେ। ପୁଷ୍ଟିହୀନତା ଦୂର ଲାଗି ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଗୁରୁତ୍ୱ ଦେଇଥିଲେ। କର୍ମଶାଳାରେ ଅଜିମ୍‌ ପ୍ରେମ୍‌ଜୀ ଫିଲାନ୍‌ଥ୍ରୋପିକ ସିଇଓ ଆନନ୍ଦ ସ୍ବାମୀନାଥନଙ୍କ ସମେତ ବାଂଲାଦେଶ ଓ ଫିଲିପାଇନ୍ସ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ‘ସୌହାର୍ଦ୍ଦୋ’ କାର୍ଯ୍ୟକ୍ରମ ମାଧ୍ୟମରେ ବାଂଲାଦେଶ ସରକାର କିପରି ଲିଙ୍ଗଗତ ନିର୍ବିଶେଷରେ ଖାଦ୍ୟ ଓ ପୁଷ୍ଟିର ସୁରକ୍ଷା ହାସଲ କରିପାରିଛନ୍ତି, ସେ ବିଷୟରେ ବାଂଲାଦେଶ ସରକାରଙ୍କ ପ୍ରତିନିଧି କହିଥିଲେ। ରାଜ୍ୟ ଜୀବିକା ମିଶନର ନିର୍ଦ୍ଦେଶକ ସ୍ମୃୃତି ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।