ମୋବାଇଲ ଫୋନ ବ୍ୟବହାର କଲେ ଜରିମାନା ଦେବେ ଛାତ୍ରୀ

ଭଞ୍ଜନଗର,୧୦ା୯(ଡି.ଏନ.ଏ.)- ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ବାର୍ଷିକ ଯୋଜନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ଶାନ୍ତି କୁମାରୀ ଉପାଧ୍ୟାୟ ସଭାପତିତ୍ୱ କରିଥିଲେ। ଭଞ୍ଜନଗର ମେଡ଼ିକାଲ ରକ୍ତଭଣ୍ଡାର ଅଧିକାରୀ ତଥା ଏନ୍‌ଏସ୍‌ଏସ୍‌ ସଭ୍ୟ ଡ଼. ପ୍ରଣବାନନ୍ଦ ପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଯୋଜନା ଅଧିକାରୀ ଅଧ୍ୟାପକ ଅମୁଲ୍ୟ ଶତପଥୀ, ଡ଼. ସୁଶାନ୍ତ କୁମାର ମଲ୍ଲିକ, ଯୋଜନା ଅଧିକାରିଣୀ ଅଧ୍ୟାପିକା ସନ୍ଧ୍ୟାରାଣୀ ପ୍ରଧାନ, ଜୟଲକ୍ଷ୍ମୀ ରଥ, ଡ଼. ପୁଷ୍ପାଞ୍ଜଳି ପଟ୍ଟନାୟକ, ସୁପ୍ରଭା ବେହେରା, ଉର୍ମିଳା ପାଟ୍ଟଯୋଶୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଚଳିତବର୍ଷ ଶ୍ରୀରାମନଗର, ଛେଦାଭୂମି, ଲାଲସିଂ ଓ ଲାଲସିଂପଲ୍ଲୀକୁ ପୋଷ୍ୟ ଗ୍ରାମ ଭାବେ ଚୟନ କରାଯାଇଛି। ଉକ୍ତ ଗ୍ରାମ ଗୁଡ଼ିକରେ ଆଗାମୀ ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହେବ। ଏଥିସହ ରକ୍ତଦାନ ଶିବିର ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା। ଏହାପୂର୍ବରୁ ଅଭିଭାବକ, ଶିକ୍ଷକ ଏବଂ ଛାତ୍ରୀମାନଙ୍କ ଏକ ସମ୍ମିଳନୀ ହୋଇଥିଲା। ଏଥିରେ ଅଧ୍ୟକ୍ଷା ଶ୍ରୀମତୀ ଉପାଧ୍ୟୟ ସଭାପତିତ୍ୱ କରି ଛାତ୍ରୀମାନେ କିଭଳି ଶୃଙ୍ଖଳିତ ଜୀବନ ବିତାଇବା ସହ ପାଠ କିଭଳି ପଢ଼ିବେ ସେନେଇ କହିଥିଲେ। ଏଥିସହ ଯେଉଁ ଛାତ୍ରୀ କଲେଜରେ ମୋବାଇଲ ଫୋନ୍‌ ବ୍ୟବହାର କରିବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ଅଧ୍ୟକ୍ଷା କହିଥିଲେ। ଛାତ୍ରୀମାନେ ସଚେତନତା ହେବାକୁ ସେ ଆହ୍ବାନ ଦେଇଥିଲେ। ପ୍ରଶାସନିକ ଅଧିକାରିଣୀ ଅଧ୍ୟାପିକା ଡ଼. ପ୍ରତିମା ପୂଜାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।