ମୋବାଇଲ୍‌ ଟ୍ରାକିଂ କରି ୭ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲା ତୁରୁମୁଙ୍ଗା ପୋଲିସ

ପାଟଣା,୧୭।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ପୋଲିସ ୭ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରାଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। ମଙ୍ଗଳବାର ଅପରାହ୍ନରେ ଚମ୍ପୁଆ ଏସ୍‌ଡିପିଓ ହରିହର ପାଣି ଓ ଥାନାଧିକାରୀ ବାରେନ୍ଦ୍ର ଶିଆଲ ଏକ ଖବର ଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି। ଏମାନଙ୍କଠାରୁ ମାରଣାସ୍ତ୍ର ସହ ୨ଟି ଦେଶୀ ବନ୍ଧୁକ, ୩ଟି ଜୀବନ୍ତ ଗୁଳି ଓ ୩ ବାଇକ ମଧ୍ୟ ଜବତ ହୋଇଛି। ଗିରଫ ଲୁଟେରା ମାନେ ହେଲେି ମୟୂରଭଞ୍ଜ ଜିଲା ଘାଗରବେଡା ଥାନା ଛେଳିଆନାଳ ଗ୍ରାମର ବିଶଜିତ ଗିରି, କୁଦାସାହିର ଗଣେଷ ଲାଗୁରୀ, ଝାରଖଣ୍ଡ ପଶ୍ଚିମ ସିଂଭୂମ ଜିଲା ଜଗନ୍ନାଥପୁର ଥାନା ଛଣପଦା ଗ୍ରାମର ମୃତ୍ୟୁଞ୍ଜୟ ବେହେରା, କେନ୍ଦୁଝର ଜିଲା ଚମ୍ପୁଆ ଥାନା କୁଦଗାଡ଼ିଆ ଗ୍ରାମର ସିପୁନ ବାରିକ, ତୁରୁମୁଙ୍ଗା ଥାନା ତ୍ରିବିନ୍ଦା ଗ୍ରାମର ତ୍ରିନାଥ ମହାନ୍ତ, ଚନ୍ଦ୍ର ଶେଖର ପାତ୍ର ଓ ଚନ୍ଦନ ପାତ୍ର। ଏମାନେ ଗତ ଶନିବାର ବିଲମ୍ବିତ ରାତିରେ ତୁରୁମୁଙ୍ଗା ଥାନା ଝାରବେଡ଼ା ଗ୍ରାମର କ୍ଷୀରୋଦ ବେହେରାଙ୍କ ଘରେ ପଶି ଲୁଟ ଉଦ୍ୟମ କରିଥିଲେ। ଡ଼କାୟତଙ୍କ ବନ୍ଧୁକ ଆକ୍ରମଣରେ ଘର ମାଲିକ କ୍ଷୀରୋଦ ବେହେରା ଓ ତାଙ୍କ ଝିଅ ଅଲିଭା ବେହେରାଙ୍କ ମୁଣ୍ଡ ଫାଟି ଯାଇଥିଲା। ଡକାୟତମାନେ ବାପା ଝିଅଙ୍କ ଦୁଇଟି ମୋବାଇଲ ଚୋରି କରିନେଇଥିଲେ। ପୋଲିସ ଉକ୍ତ ମୋବାଇଲ ନମ୍ବରକୁ ଟ୍ରାକିଂ କରି ଏହି ସଫଳତା ପାଇଛି। ଏ ନେଇ ତୁରୁମୁଙ୍ଗା ପୋଲିସ ଥାନା ରେ୨୭/୨୦ ରେ ଏକ ମାମଲା ରୁଜୁ କରି ୭ଜଣଙ୍କୁ ଗିରିଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି।