Categories: ଜାତୀୟ

ମୋଦି ସରକାରରେ ମନ୍ତ୍ରୀ ହେବାର ଥିଲେ ଟେଲିଫୋନ୍‌ ଚାର୍ଜ ରଖିବା ଜରୁରୀ

ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ହେଲେ ମୋଦିଙ୍କ ସରକାରରେ କିଏ ହେବେ ମନ୍ତ୍ରୀ ତାକୁ ନେଇ ଏବେ ଚାଲିଛି ନାନା କଳ୍ପନାଜଳ୍ପନା। ମୋଦିଙ୍କ ଶପଥ ଗ୍ରହଣକୁ ଅପେକ୍ଷା ରଖିଥିବା ଗଣମାଧ୍ୟମ ପ୍ରତିନିଧି ଓ କେତେଜଣ ନେତାଙ୍କ ମଧ୍ୟରେ ଚାଲିଥିବା ଥଟ୍ଟା ପରିହାସ ଏବେ ଖବର ପାଲଟି ଯାଇଛି। କାରଣ ସନ୍ଧ୍ୟାରେ ମୋଦି ଶପଥ ଗ୍ରହଣ କରିବାକୁ ଥିବା ବେଳେ ଦିନ ମଧ୍ୟରେ ମୋଦି ଓ ଅମିତ ଶାହଙ୍କୁ ନେଇ ଜରୁରୀ ବୈଠକ ମଧ୍ୟ ବସିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜୟୀ ପ୍ରାର୍ଥୀଙ୍କ ନିକଟକୁ ଫୋନ୍‌ କଲ୍‌ ମଧ୍ୟ ଯାଉଛି। ଯେଉଁମାନେ ମୋଦିଙ୍କ ପରେ ପରେ ଶପଥ ଗ୍ରହଣ କରିବେ ଓ ମନ୍ତ୍ରୀ ପଦ ପାଇବେ ସେମାନଙ୍କୁ ଫୋନ୍‌ କଲ୍‌ ଯାଉଥିବା କୁହାଯାଉଛି। ତେଣୁ ଏବେ ଆଲୋଚନାର ବିଷୟ ପାଲଟିଛି ଯେ, ଯଦି ମୋଦି ସରକାରରେ ମନ୍ତ୍ରୀ ପଦ ପାଇବାର ଅଛି ତେବେ ଫୋନ୍‌ ଚାର୍ଜ ରଖିବା ଜରୁରୀ। ନଚେତ୍‌ ଏହା ଯେ ହାତଛଡା ହୋଇ ନ ଯିବ ତା କିଏ କହିବ। ଏହି କ୍ରମରେ ଜଣେ ପୂର୍ବତନ ନେତା ମଧ୍ୟ କହିଛନ୍ତି, ପୂର୍ବଥର ମଧ୍ୟ ତାଙ୍କ ନିକଟକୁ ଫୋନ୍‌ କଲ୍‌ ଯିବା ସମୟରେ ସେ ଏହା ରିସିଭ୍‌ କରି ନ ପାରି ଭାରି ପସ୍ତେଇ ଥିଲେ। ଯାହା ସମସ୍ତଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା।

Share