Categories: ଜାତୀୟ

ମୋଦି ସରକାରଙ୍କୁ ଝଟ୍‌କା: ଜମ୍ମୁ-କଶ୍ମୀରରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ସମୟରେ ସେଠାରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ସେଠାରେ ଦୀର୍ଘ ଦିନରୁ ଇଣ୍ଟରନେଟ ସେବା ପ୍ରତିବନ୍ଧକ ଓ ୧୪୪ ଧାରା ଲଗାଯାଇଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଇଣ୍ଟରନେଟ ସେବା ଜନସାଧାରଣଙ୍କର ମୌଳିକ ଅଧିକାର, ଏହି ଧାରା ୧୯ର ଅନ୍ତର୍ଗତ। କେବଳ ସୀମିତ ସମୟ ପାଇଁ ଏହା ଉପରେ ପ୍ରତିବନ୍ଧକ ଲଗାଯାଇପାରିବ। କିନ୍ତୁ ସରକାର ଦୀର୍ଘଦିନ ଧରି ଏହି ସେବା ବନ୍ଦ କରିପାରିବେ ନାହିଁ। ଲଗାତର କଟକଣା ଲଗାଇବା କ୍ଷମତାର ଅପବ୍ୟବହାର ସଙ୍ଗେ ସମାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଏହାକୁ ନେଇ ସରକାର ଆଗାମୀ ୭ଦିନରେ ସମୀକ୍ଷା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ୭ଦିନ ମଧ୍ୟରେ ଇଣ୍ଟରନେଟ କଟକଣା ଓ ୧୪୪ ଧାରା ଭଳି ସମସ୍ତ ପ୍ରତିବନ୍ଧକର ନିଷ୍ପତ୍ତିକୁ ସମୀକ୍ଷା କରି ଏହାକୁ ସାର୍ବଜନୀନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share