ମୋଦିଙ୍କ ହ୍ୟୁଷ୍ଟନ ସମାବେଶରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭ା୯: ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ଲାଗି ଆସନ୍ତା ରବିବାର ହ୍ୟୁଷ୍ଟନ୍‌ ସହରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ ସମାବେଶରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯୋଗଦେବେ ବୋଲି ଜଣାପଡିଛି। ହ୍ବାଇଟ ହାଉସ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି। ଭାରତୀୟ ଆମେରିକୀୟମାନଙ୍କ ପକ୍ଷରୁ ସେପ୍ଟେମ୍ବର ୨୨ରେ ଆୟୋଜିତ ଏହି ସମିଟ୍‌ ଅବସରରେ ମୋଦି ଓ ଟ୍ରମ୍ପ୍‌ ଏକାଠି ହେବେ। ଏହା ବ୍ୟତୀତ ଆମେରିକା କଂଗ୍ରେସର ବହୁ ସଦସ୍ୟ, ବିଶିଷ୍ଟ ଶିଳ୍ପପତି, ବ୍ୟବସାୟୀ ଓ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ସମିଟ୍‌ରେ ଯୋଗଦେବେ। ଏହି ଅବସରରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ମଧ୍ୟ ଘୋଷଣା ହେବା କାର୍ଯ୍ୟକ୍ରମ ରହିଛି। ଏକ ମିଳିତ ରାଲିରେ ଦୁଇ ବୃହତ୍‌ ଗଣତନ୍ତ୍ରର ପ୍ରମୁଖ ନେତା ଉଦ୍‌ବୋଧନ ଦେବା ପ୍ରଥମ ଘଟଣା ବୋଲି ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ମେଗା ଅଭିନନ୍ଦନ ର଼୍ୟାଲିରେ ଆମେରିକାରେ ରହୁଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ସାମିଲ ହେବେ। ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ମଜଭୂତ କରିବାରେ ଏହା ବଡ଼ ସୁଯୋଗ ବୋଲି ହ୍ବାଇଟ୍‌ ହାଉସ ପ୍ରେସ୍‌ ସଚିବ ଷ୍ଟିଫେନି ଗ୍ରିଶାମ କହିଛନ୍ତି। ପ୍ରବାସୀ ଭାରତୀୟଙ୍କ ଗହଣରେ ସେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବେ ବୋଲି ମୋଦି ଟୁଇଟ୍‌ କରିଛନ୍ତି।

Share