Categories: ଜାତୀୟ

ମୋଦିଙ୍କ ସୁରକ୍ଷା ଲାଗି ବଜେଟରେ ୬ଶହ କୋଟି

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ପେଶାଲ ପ୍ରୋଟେକଶନ୍‌ ଗ୍ରୁପ(ଏସ୍‌ପିଜି)ଲାଗି ଏଥର ସରକାର ବଜେଟରେ ପ୍ରାୟ ୬ଶହ କୋଟି ଟଙ୍କାର ବ୍ୟୟ ବରାଦ ରଖିଛନ୍ତି। ଗତବର୍ଷ ଏହି ସୁରକ୍ଷା ବଜେଟକୁ ୪୨୦କୋଟିରୁ ବୃଦ୍ଧି କରି ୫୪୦ କୋଟି କରାଯାଇଥିଲା। ଏଥର ଏହାକୁ ପ୍ରାୟ ୬ଶହ କୋଟି କରାଯାଇଛି ବୋଲି ଜଣାପଡିଛି। ଏବେ ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯାହାଙ୍କ ସୁରକ୍ଷା ପାଇଁ ପ୍ରାୟ ୩ହଜାର ଷ୍ଟ୍ରଙ୍ଗ ସ୍ପେଶାଲ ସିକ୍ୟୁରିଟି ଗ୍ରୁପର ବ୍ୟବସ୍ଥା କରାଯାଇଛି। ଗତବର୍ଷ ନଭେମ୍ବରରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାରେ ସଂଶୋଧନ କରାଯାଇ ଏସ୍‌ପିଜି ସୁରକ୍ଷାକୁ ହଟାଇ ଦିଆଯାଇଥିଲା। ସେହିପରି ଗତବର୍ଷ ଅଗଷ୍ଟ ମାସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଏସ୍‌ପିଜି ସୁରକ୍ଷାକୁ ମଧ୍ୟ ହଟାଇ ଦିଆଯାଇଥିଲା। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡା ଓ ଭିପି ସିଂଙ୍କ ନିକଟରୁ ମଧ୍ୟ ଏସ୍‌ପିଜି ସୁରକ୍ଷାକୁ ପୂର୍ବରୁ ହଟାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ଅର୍ଥାତ୍‌ ୧୯୮୫ରେ ଏସ୍‌ପିଜି ଗଠନ କରାଯାଇଥିଲା। ଏହା କେବଳ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଲାଗି ଉଦ୍ଦିଷ୍ଟ ଥିଲା।

Share