ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେନି ନବୀନ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ନରେନ୍ଦ୍ର ମୋଦି ଲଗାତ।ର ଦ୍ୱିତୀୟଥର ପାଇଁ ଗୁରୁବାର ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବକୁ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଅନୁରୂପଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ହେଲେ ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ନବ ନିର୍ବାଚିତ ୧୬ଶ ବିଧାନସଭାର ସଦସ୍ୟମାନେ ଗୁରୁବାର ବିଧାୟକ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିିଛି। ଗୃହର ନେତା ହିସାବରେ ଏହି ଶପଥପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ। ତେଣୁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇ ପାରିବେ ନାହିଁ ବୋଲି ସିଏମ୍‌ଓ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀଭାବେ ମୋଦି ଏବଂ ତାଙ୍କର ନୂଆଟିମ୍‌ ଶପଥ ନେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।