ମୋଦିଙ୍କ ମନ୍ଦିର ତିଆରି କଲେ କୃଷକ

ତିରୁଚିରାପଲ୍ଲୀ,୨୬।୧୨: ତାମିଲନାଡୁ ତିରୁଚିରାପଲ୍ଲୀର ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କର ଏକ ମନ୍ଦିର ତିଆରି କରିଛନ୍ତି। ପି. ଶଙ୍କର(୫୦ ବର୍ଷ) ନାମକ ଉକ୍ତ କୃଷକ ଜଣଙ୍କ କୁହନ୍ତି ସେ ମୋଦିଙ୍କର ‘କିଷାନ ସମ୍ମାନନିଧି’ ସମେତ କୃଷକଙ୍କ ହିତ ଉଦ୍ଦେଶ୍ୟରେ ଯେତେ ଯୋଜନା ରହିଛି ସବୁଦ୍ୱାରା ସେ ବେଶ୍‌ ପ୍ରଭାବିତ। ତେଣୁ ସେ ମୋଦିଙ୍କର ଏହି ମନ୍ଦିର ନିର୍ମାଣ କରି ତାଙ୍କୁ ପୂଜା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତିରୁଚିରାପଲ୍ଲୀରୁ ପ୍ରାୟ ୬୩ କିଲୋମିଟର ଦୂର ଇରାକୁଡି ଗାଁରେ ଏହା ନିର୍ମାଣ କରାଯାଇଛି। ପି. ଶଙ୍କର ଏହି ମନ୍ଦିରକୁ ଗତ ସପ୍ତାହରେ ଉଦ୍‌ଘାଟନ କରିଛନ୍ତି। ଏହାପରଠାରୁ ସେ ପ୍ରତିଦିନ ଏଠାରେ ଆଳତି କରୁଛନ୍ତି। ୮ ବର୍ଗଫୁଟର ଏହି ମନ୍ଦିରରେ ଟାଇଲ ଲଗାଯାଇଥିବା ବେଳେ ଏଠାକୁ ଆସୁଥିବା ଲୋକମାନଙ୍କୁ ରଙ୍ଗୋଲି ମାଧ୍ୟମରେ ସ୍ବାଗତ କରାଯାଉଛି। ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧.୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସେ କୁହନ୍ତି। ଏହି ମନ୍ଦିରରେ ମୋଦିଙ୍କର ଯେଉଁ ପ୍ରତିମା ଲଗାଯାଇଛି ସେଥିରେ ମୋଦିଙ୍କର ସବୁ ଷ୍ଟାଇଲ ପ୍ରତି ଧ୍ୟାନ ଦିଆଯାଇଛି। ବିଶେଷ କରି ତାଙ୍କ ଦାଢି ଓ ମୁଣ୍ଡବାଳକୁ ଅବିକଳକରି କରିବାକୁ ଚେଷ୍ଟା କରାଯାଇଛି। ସେହିପରି ମୂର୍ତ୍ତିର ଦୁଇ ପଟରେ ପାରମ୍ପରିକ ଦୀପ ଜଳାଇ ଦିଆଯାଇଛି। ପି. ଶଙ୍କର ମୋଦିଙ୍କୁ ‘ଅୟା’ ବା ‘ସାର୍‌’ ବୋଲି ସମ୍ବୋଧନ କରୁଛନ୍ତି। ଶଙ୍କର ପ୍ରାୟ ୮ ମାସ ତଳୁ ମନ୍ଦିରର ନିର୍ମାଣ କାର୍ଯ୍ୟ ସାରିବାକୁ ଚାହୁଁଥିବା ବେଳେ ଅର୍ଥାଭାବରୁ ଏହା ବିଳମ୍ବ ହୋଇଥିବା ସେ କହିଛନ୍ତି। କାହିଁକି ସେ ଏହି ନିର୍ମାଣ କରିଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି ମୋଦିଙ୍କ ବ୍ୟକ୍ତିତ୍ୱ ତାଙ୍କୁ ବହୁତ ଭଲ ଲାଗେ। ଆଉ ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କିଷାନ ସମ୍ମାନନିଧି ଯୋଜନାରେ ତାଙ୍କୁ ୨ ହଜାର ଟଙ୍କା ମିଳିବା, ଉଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ, ଘରେ ଶୌଚାଳୟ କେବଳ ମୋଦିଙ୍କ ଯୋଗୁ ମିଳିଛି ବୋଲି ସେ କହିଛନ୍ତି। ତେବେ ତିରୁଚିରାପଲ୍ଲୀର ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରଭାରୀଙ୍କୁ ଶଙ୍କରଙ୍କ ବିଷୟରେ ପଚରା ଯିବାରୁ ସେ କହିଛନ୍ତି ଶଙ୍କର ପୂର୍ବରୁ ଭାଜପାର ସଦସ୍ୟ ନ ଥିଲେ। ଏହି ମନ୍ଦିର ନିର୍ମାଣ କରିଥିବା ଖବର ପାଇବା ପରେ ତାଙ୍କୁ ଭାଜପାର ସଦସ୍ୟତା ଦିଆଯିବାରୁ ସେ ଏହାକୁ ଗ୍ରହଣ କରିଛନ୍ତି। ବେଶ୍‌ କିଛି ବର୍ଷ ଗଲ୍ଫ କଣ୍ଟ୍ରିରେ କାମ କରିବା ପରେ ସେ ଗାଁକୁ ଆସି କିଛି ଜମି କିଣିଛନ୍ତି ବୋଲି କୁହନ୍ତି। ସେ ମୋଦିଙ୍କ ସହ ସାକ୍ଷାତ୍‌ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ମୋଦି ସି ଜିନପିଙ୍ଗଙ୍କ ସହ ସାକ୍ଷାତ୍‌ କରିବାକୁ ମମଲ୍ଲାପୁରମ ଯାଇଥିବା ବେଳେ ଶଙ୍କର ସେଠାକୁ ଯାଇଥିଲେ ହେଲେ ମୋଦିଙ୍କ ସହ ଦେଖା ହୋଇ ପାରି ନ ଥିଲା। ହେଲେ ଏପର୍ଯ୍ୟନ୍ତ ସେ ତାଙ୍କର ଫଟୋଦେଖି ଖୁସି ଅଛନ୍ତି ବୋଲି କୁହନ୍ତି।

Share