ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଆଶଙ୍କା କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ ଲାଗିରହିଥିବାରୁ ପେଟ୍ରୋଲିୟମ୍ ସାମଗ୍ରୀଗୁଡ଼ିକର ବିବେକସମ୍ମତ ବ୍ୟବହାର କରିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ତେଲଙ୍ଗାନାରେ ୯,୪୦୦ କୋଟି ଟଙ୍କା ବ୍ୟୟରେ ବିକାଶ ପ୍ରକଳ୍ପଗୁଡ଼ିକର ଭର୍ଚୁଆଲି ଶିଳାନ୍ୟାଶ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମଦାନୀ ହେଉଥିବା ପେଟ୍ରୋଲିୟମ୍ ସାମଗ୍ରୀଗୁଡ଼ିକ କେବଳ ଆବଶ୍ୟକ ଅନୁଯାୟୀ ବ୍ୟବହାର ହେବା ଉଚିତ। ଏହା କେବଳ ବିଦେଶୀ ମୁଦ୍ରା ସଞ୍ଚୟ କରିବ ନାହିଁ, ଯୁଦ୍ଧଜନିତ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବ।
ଖର୍ଚ୍ଚ କମାଇବା ପାଇଁ ଘରୁ କାମ କରିବା ପଦ୍ଧତି (ଓ୍ବାର୍କ ଫ୍ରମ୍ ହୋମ୍)କୁ ପୁନର୍ବାର ଆପଣାଇବାକୁ ମୋଦି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେଲ ବ୍ୟବହାର କମାଇବା ସହ ସୁନା କିଣିବା ଗୋଟିଏ ବର୍ଷ ପାଇଁ ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ବିଦେଶୀ ବିନିମୟ ସଞ୍ଚୟ କରିବାରେ ଦେଶକୁ ସହାୟତା କରିବ। ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଅତ୍ୟଧିକ ବୃଦ୍ଧି ପାଇବା ସହ ଆର୍ଥତ୍କ ଅନିଶ୍ଚିତତା ଦେଖାଦେଇଛି। ତେଣୁ ଇନ୍ଧନ ବ୍ୟବହାର କମାଇବା ଏକ ଜାତୀୟ ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ମହାମାରୀ ସମୟରେ ଆମେ ଘରେ ରହି କାମ କରିବା ପଦ୍ଧତି ଆପଣାଇଥିଲେ। ଅନ୍ଲାଇନ୍ ବୈଠକ ଓ ଭିଡିଓ କନ୍ଫରେନ୍ସ ସମେତ ଏଭଳି ବହୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଓ ଆମେ ସେଥିରେ ଅଭ୍ୟସ୍ତ ହୋଇଯାଇଥିଲୁ ବୋଲି ମୋଦି କହିଛନ୍ତି।
ସୌରଶକ୍ତି ସାମର୍ଥ୍ୟରେ ଭାରତ ନିକଟ ଅତୀତରେ ଏକ ପ୍ରମୁଖ ଦେଶ ଭାବେ ଉଭା ହୋଇଛି। ଇଥାନଲ ମିଶ୍ରିତ ପେଟ୍ରୋଲ ପ୍ରସ୍ତୁତିରେ ଅଭୂତପୂର୍ବ ଅଗ୍ରଗତି ହୋଇି। ପୂର୍ବରୁ ସରକାର ୧୦୦ ପ୍ରତିଶତ ଏଲ୍ପିଜି ସଂଯୋଗ ଉପରେ ଗୁରୁତ୍ୱ ଦେଉଥିଲେ। ଏବେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣ ବଢ଼ାଇବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। କାମ୍ପ୍ରେସ୍ଡ୍ ନ୍ୟାଚୁରାଲ ଗ୍ୟାସ୍ (ସିଏନ୍ଜି) ବ୍ୟବହାର ବଢ଼ାଇବା ଦିଗରେ ସରକାର କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଭଳି ପଦକ୍ଷେପ ଭାରତକୁ ବିଶ୍ୱ ଶକ୍ତି ସଙ୍କଟରୁ ମୁକୁଳିବାରେ ସହାୟକ ହେବ। ଶକ୍ତି ସଂରକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇ ଆମଦାନୀ ଶକ୍ତି ସମ୍ବଳର କେବଳ ଆବଶ୍ୟକତା ଅନୁଯାୟୀ ବିବେକସମ୍ମତ ବ୍ୟବହାର କରାଯିବା ଜରୁରୀ ବୋଲି କହିଛନ୍ତି।

