Categories: ଜାତୀୟ

ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌: ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସ ହୋଇଥିଲେ ନିଯୁକ୍ତ; ୨ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌

ନୂଆଦିଲ୍ଲୀ,୧୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀଙ୍କ ପର୍ସ ଲୁଟ୍‌ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ୭ ଶହ ପୋଲିସଙ୍କୁ ନିଯୁକ୍ତ କରାଯାଇଥିଲା। ସେହିପରି ଏହି କାର୍ଯ୍ୟରେ ୨ ଶହ ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହଲ୍ଲାଦ ମୋଦିଙ୍କ ଝିଅ ଦମୟନ୍ତୀ ବେନ୍‌ ମୋଦି ଉତ୍ତରଦିଲ୍ଲୀର ଗୁଜରାଟୀ ସମାଜ ଭବନ ସମ୍ମୁଖରେ ଅଟୋ ରିକ୍ସାରୁ ଓହ୍ଲାଉଥିବାବେଳେ ତାଙ୍କ ପର୍ସକୁ ଅଭିଯୁକ୍ତ ୨୧ ବର୍ଷ ବୟସ୍କ ଗୌରବ ଓରଫ୍‌ ନାନୁ ସ୍କୁଟିରେ ତାଙ୍କ ଜଣେ ସାଥିଙ୍କ ସହ ଆସି ଲୁଟ୍‌ କରିଥିଲେ। ପୋଲିସ ପକ୍ଷରୁ ୨୦ଟି ଟିମ୍‌ ଗଠନ କରାଯାଇ ଯାଞ୍ଚ୍‌ ଆରମ୍ଭ କରାଯାଇଥିଲା। ଗୌରବଙ୍କୁ ସୋନିପତ୍‌ରୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ଗିରଫ କରିଥିବାବେଳେ ତାଙ୍କ ସାଥି ୨୨ ବର୍ଷ ବୟସ୍କ ବାଦଲଙ୍କୁ ସୁଲତାନ୍‌ପୁରୀରୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଲୁଟ୍‌ ହୋଇଥିବା ୫୬ ହଜାର ଟଙ୍କା, ୨ ମୋବାଇଲ୍‌ ଏବଂ ଲୁଟ୍‌ରେ ବ୍ୟବହାର ହୋଇଥିବା ସ୍କୁଟି ଜବତ କରାଯାଇଛି।

Share