ମୋଦିଙ୍କ ଆଲିଙ୍ଗନକୁ ମିସ୍‌ କଲେ ମୋରିସନ

କାନବେରା,୪।୬: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁବାର ଏକ ଭର୍ଚୁଆଲ ସାକ୍ଷାତ୍‌କାର ହୋଇଛି। ଏହି ସମୟରେ କିନ୍ତୁ ସ୍କଟ କିଛି କୌତୁକିଆ କଥା କହିଛନ୍ତି। କରୋନା ଭାଇରସ ପାଇଁ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯାଉଥିବାରୁ ସେ ପ୍ରସିଦ୍ଧ ‘ମୋଦି ହଗ୍‌’ ବା ମୋଦିଙ୍କ ଆଲିଙ୍ଗନକୁ ମିସ୍‌ କରିଛନ୍ତି ବୋଲି କହିଛନ୍ତି। ଗୋଟିଏ ସପ୍ତାହ ପୂର୍ବରୁ ମୋରିସନ ନିଜ ହାତ ତିଆରି ସିଙ୍ଗଡା ମୋଦିଙ୍କ ସହ ଶେୟାର କରିବା କଥା କହିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋକୁ ସେ ମୋଦିଙ୍କୁ ଟ୍ୟାଗ ମଧ୍ୟ କରିଥିଲେ। ତେବେ ସିଙ୍ଗଡାର ନାଁ ସେ ନିଜ ହିସାବରେ ‘ସ୍କୋମୋସା’ ରଖିଥିଲେ। ଏଥର ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଭର୍ଚୁଆଲ ମିଟରେ ମୋରିସନ କହିଛନ୍ତି ଆସନ୍ତା ଥରକୁ ସେ ନିଜ ହାତରେ ଗୁଜରାଟି ଖେଚୁଡି ତିଆରି କରିବେ। ସାକ୍ଷାତ୍‌କାର ସମୟରେ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନଙ୍କୁ ପରିବାର ସହ ଭାରତ ଆସିବାକୁ ନିମନ୍ତ୍ରଣ ଜଣାଇଥିବା ବେଳେ ମୋରିସନ ଗୁଜରାଟି ଖେଚୁଡି କଥା ଉଠାଇଥିଲେ।

Share