ମୋତେ ଶୀଘ୍ର ବାହା କର, ଏମିତି ଜିଦ୍‌ ଧରିଲେ ଯୁବତୀ; ଆଉ ତା’ ପରେ…

ଭୋପାଳ,୧୯।୫: ସମଗ୍ର ଦେଶରେ କରୋନା ମହାମାରୀ ଚାଲିଥିବାରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କୁ କିଛି ଜରୁରୀ କାମରେ ଅସୁବିଧାର ସାମ୍ନା କରିବାକୁ ପଡୁଛି। ମଧ୍ୟପ୍ରଦେଶର ବେତୁଲରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଲକ୍‌ଡାଉନ୍‌ ହୋଇଥିବାରୁ ଏକ ପ୍ରେମୀଯୁଗଳଙ୍କ ବିବାହ ବନ୍ଦ ରହିଥିଲା। ଫଳରେ ପ୍ରେମିକା ଜଣକ ୧୦୦ ନମ୍ବରକୁ ଡାଏଲ କରି ପୋଲିସକୁ ନିଜର ଅସୁବିଧା ବିଷୟରେ କହିଥିଲେ। ପରେ ପୋଲିସ ପ୍ରେମୀଯୁଗଳଙ୍କୁ ଥାନାକୁ ଡାକିଥିଲା। ବନ୍ଧୁ ଏବଂ ପରିବାରବର୍ଗଙ୍କ ସହମତିରେ ଏକ ମନ୍ଦିରରେ ଏହି ଯୋଡ଼ିଙ୍କ ବିବାହ ସମ୍ପନ୍ନ ହୋଇଛି।

ଏହି ଘଟଣା ବେତୁଲର ଭେସଦେହି ଅଞ୍ଚଳରେ ଦେଖିବାକୁ ମିଳିଛି। ପ୍ରେମିକା ଜଣକ ତୁରନ୍ତ ବିବାହ କରିବାକୁ ଜିଦ୍‌ ଧରି ବସିଲେ। ଏମିତି ହଙ୍ଗାମା କଲେ ଯେ, ପୋଲିସ ଶେଷରେ ହାରି ମାନିଥିଲା। ଦୁଇ ପରିବାର ଚାହୁଁଥିଲେ ଲକ୍‌ଡାଉନ୍‌ ସରିବା ପରେ ବିବାହ ଧୂମ୍‌ଧାମରେ କରାଯିବ। ମାତ୍ର କାହା କଥା ମାନି ନ ଥିଲେ ଯୁବତୀ ଜଣକ। ସେ କହିଲେ ଶୀଘ୍ର ମୋ’ ବାହାଘର କର। ଏପରିକି ପୋଲିସ ଡାକିଥିଲେ। ପୋଲିସ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ କାହା କଥା ଶୁଣି ନ ଥିଲେ ପ୍ରେମୀଯୁଗଳ। ଶେଷରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏକ ମନ୍ଦିରରେ ବିବାହ ସମ୍ପନ୍ନ କରାଇଥିଲା ପୋଲିସ।

ଏହି ମାମଲାରେ ମହିଳା ଡେସ୍କ ପ୍ରଭାରୀ ସୁମନ ମିଶ୍ର କହିଛନ୍ତି, ଧାବା ଗ୍ରାମର ଏହି ପ୍ରେମୀଯୁଗଳ ନିଜ ଇଚ୍ଛାରେ ବିବାହ କରିବାକୁ ଚାହୁଁଥିଲେ। ୩ ବର୍ଷ ଧରି ସେମାନଙ୍କର ପ୍ରେମ ସମ୍ପର୍କ ଥିଲା। ଲକ୍‌ଡାଉନ୍‌ ଯୋଗୁ ତାଙ୍କ ବିବାହ ହୋଇ ପାରୁ ନ ଥିଲା। ତେଣୁ ସେମାନେ ୧୦୦କୁ ଡାଏଲ କରି ସୂଚନା ଦେଇଥିଲେ। ପୋଲିସ ତାଙ୍କ ମାତାପିତାଙ୍କୁ ଥାନାକୁ ଡାକି ଏ ବିଷୟରେ ଆଲୋଚନା କରିଥିଲେ। ତେବେ ପରେ ଉଭୟପକ୍ଷଙ୍କ ଆପୋଷ ବୁଝାମଣା ଆଉ ସହମତିରେ ପୋଲିସ ପ୍ରଶାସନ ଦ୍ୱାରା ଏହି ବିବାହ କରାଯାଇଥିଲା।

Share