ମୋଟା ଲୋକଙ୍କ ମାନସିକ, ଶାରୀରିକ ସମସ୍ୟା ବଢ଼ାଇଛି କରୋନା

ନ୍ୟୁୟର୍କ,୧୫ା୬: ମହାମାରୀ କରୋନା ମେଦବହୁଳ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି। କାରଣ ସେମାନେ ନିଜ ଓଜନ ଏବଂ ମାନସିକ ସ୍ବାସ୍ଥ୍ୟ ପରିଚାଳନା ପାଇଁ ସଂଘର୍ଷ କରୁଛନ୍ତି। ମେଦବହୁଳ ରୋଗୀଙ୍କ ସ୍ବାସ୍ଥ୍ୟଗତ ଆଚରଣକୁ କରୋନା କିଭଳି ପ୍ରଭାବିତ କରିଛି ସେନେଇ ଗବେଷକମାନଙ୍କ ଏକ ଅଧ୍ୟୟନ ରିସର୍ଚ୍ଚ ଜର୍ନାଲ ‘କ୍ଲିନିକାଲ ଓବେଷ୍ଟି’ରେ ପ୍ରକାଶ ପାଇଛି। ଓଜନ ବୃଦ୍ଧି ରୋକିବାକୁ ଉଦ୍ୟମ ଚଳାଇଥିବା ୧୨୩ ଜଣ ମେଦବହୁଳ ରୋଗୀଙ୍କୁ ଗତ ଏପ୍ରିଲ ୧୫ରୁ ମେ ୩୧ ମଧ୍ୟରେ ଅନ୍‌ଲାଇନରେ କେତେକ ପ୍ରଶ୍ନ ପଚରାଯାଇଥିଲା। ସେମାନଙ୍କ ହାରାହାରି ବୟସ ୫୧ ବର୍ଷ ହୋଇଥିବାବେଳେ ପ୍ରାୟ ୮୭% ମହିଳା ଥିଲେ। ଏହି ସର୍ଭେର ଫଳାଫଳକୁ ଗବେଷକମାନେ ବିଶ୍ଳେଷଣ କରି ସମ୍ପୃକ୍ତ ରୋଗୀମାନଙ୍କ ଶାରୀରିକ ଏବଂ ମାନସିକ ସ୍ଥିତି ଜାଣିବାକୁ ପାଇଥିଲେ। ସେଥିରୁ ପ୍ରାୟ ୭୦% ବ୍ୟକ୍ତି ସେମାନଙ୍କ ଓଜନ ହ୍ରାସ ଲକ୍ଷ୍ୟ ହାସଲ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ୪୮% ବ୍ୟକ୍ତି କମ୍‌ ସମୟ ପାଇଁ ବ୍ୟାୟାମ କରିବାକୁ ସୁଯୋଗ ପାଇଥିଲେ। ସେହିପରି ପ୍ରାୟ ୫୬% ହାଲୁକା ବ୍ୟାୟାମ କରିଥିଲେ। ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରାୟ ୭୩% ରୋଗୀଙ୍କ ଚିନ୍ତା ବଢ଼ିଥିବା ବେଳେ ପାଖାପାଖି ୮୪% ଲୋକଙ୍କ ବିଷାଦ ବୃଦ୍ଧି ପାଇଥିଲା।
ଏହି ପରୀକ୍ଷଣ ସମୟରେ ଦେଖିବାକୁ ମିଳିଥିଲା ଯେ, ଯେଉଁମାନେ ଅତ୍ୟଧିକ ଓଜନ କମ୍‌ କରିବାକୁ ସଂଘର୍ଷ କରୁଥିଲେ ସେମାନଙ୍କ ଖାଦ୍ୟ ଅଭ୍ୟାସ ଗୁରୁତର ପ୍ରଭାବିତ ହୋଇଥିଲା। ଅଧା ରୋଗୀଙ୍କ ଖାଦ୍ୟ ବୃଦ୍ଧି ପାଇବା ଏବଂ ମାନସିକ ଉତ୍ତେଜନା ସୃଷ୍ଟିକାରୀ ଭୋଜନ ୬୧% ବଢ଼ିଥିଲା ବୋଲି ଅଧ୍ୟୟନକାରୀ ଜେଇମ୍‌ ଆଲ୍‌ମାଣ୍ଡୋଜ କହିଛନ୍ତି।
ମେଡିକାଲ ଜର୍ନାଲ ‘ଦ ବିଏମ୍‌ଜି’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗୁରୁତର କରୋନା ମାମଲାଗୁଡ଼ିକର ପ୍ରମୁଖ କାରଣ ହେଉଛି ବୟସ, ମେଦବହୁଳତା ଏବଂ ଅନ୍ତର୍ନିହିତ ରୋଗ, ଯାହା ସାଂଘାତିକ ହୋଇପାରେ। ମେଦବହୁଳ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥାଏ ଅନେକ ଅନ୍ତର୍ନିହିତ ରୋଗ। ତେଣୁ ସେମାନେ କରୋନା ସଂକ୍ରମିତ ହେଲେ ସେମାନଙ୍କ ଜୀବନ ପ୍ରତି ବିପଦ ଅଧିକ। ଏହି ବ୍ୟକ୍ତିମାନେ ଶାରୀରିକ ଓ ମାନସିକ ସ୍ତରରେ ସଂଘର୍ଷ ଚଳାଇଥିବାବେଳେ ସାମାଜିକ ଦୂରତା ଏଥିରେ ଯୋଡ଼ି ହୋଇଯାଇଛି। ଅଧ୍ୟୟନକାରୀ ଆଲ୍‌ମାଣ୍ଡୋଜ କହିଛନ୍ତି ଯେ, ସାମାଜିକ ଦୂରତା ଭଳି ବାଧା ଦ୍ୱାରା ଚାକିରି ଏବଂ ବୀମା କଭରେଜ ହରାଇବାକୁ ପଡ଼ୁଥିବାରୁ ଏକ ସମ୍ଭାବ୍ୟ ବିପର୍ଯ୍ୟୟ ଅପେକ୍ଷା କରି ରହିଥାଏ।