Categories: ଖେଳ

ମୋଟା ଘୁଷୁରୀ ଡାକିବାରୁ କାନ୍ଦିଥିଲେ ସର୍ଫରାଜଙ୍କ ସ୍ତ୍ରୀ

ବର୍ମିଂହାମ, ୨୭।୬- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟବରଣ କରିବା ପରେ ପାକିସ୍ତାନ କ୍ରିକେଟ୍‌ ଦଳକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଭାରତ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ପ୍ରାକ୍ତନ କ୍ରିକେଟରଙ୍କଠାରୁ ଆରମ୍ଭ କରି ପାକିସ୍ତାନ ପ୍ରଶଂସକ ସୋସିଆଲ ମିଡିଆରେ ଦଳ ଅପେକ୍ଷା ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଅଧିକ ସମାଲୋଚନା କରିଛନ୍ତି। ସଦ୍ୟପ୍ରକାଶ ପାଇଥିବା ଏକ ଭିଡିଓରେ କେତେକ ପାକିସ୍ତାନ ପ୍ରଶଂସକ ବ୍ୟକ୍ତିଗତ ଭାବେ ସର୍ଫରାଜଙ୍କୁ ‘ମୋଟା ଘୁଷୁରୀ’ କହି ତାତ୍ସଲ୍ୟ କରିଥିବାର ଦେଖିବାକୁ ମିଳିଛି। ଏହି ଭିଡିଓରେ ସର୍ଫରାଜଙ୍କ ସମେତ ତାଙ୍କ ସ୍ତ୍ରୀ ସେୟଦା ଖୁସବଖତ୍‌ ଓ ପୁଅଙ୍କ ସହ ଇଂଲଣ୍ଡର ଏକ ଶପିଂ ମଲ୍‌ରେ ବୁଲୁଥିବାବେଳେ କେତେକ ପାକିସ୍ତାନ ପ୍ରଶଂସକ ତାଙ୍କୁ ଅଟକାଇ ‘ତୁମେ ମୋଟା ଘୁଷୁରୀ ଭଳି କାହିଁକି’ ଦେଖାଯାଉଛ ବୋଲି ପଚାରିଥିଲେ। ସର୍ଫରାଜ କିଛି ନ କହି ଚାଲି ଯାଉଥିବାରୁ ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିବାବେଳେ ଘଟଣାକୁ ନେଇ ଶେଷରେ ସର୍ଫରାଜ ମୁହଁ ଖୋଲିଛନ୍ତି। ବ୍ୟକ୍ତିଗତ ଭାବେ କାହାକୁ ର୍ଦୁବ୍ୟବହାର ନ କରିବାକୁ ସେ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ‘ଏହି ଘଟଣାକୁ ନେଇ କିଛି କହିବାର ନାହିଁ। ଲୋକେ କ’ଣ କହିବେ ତାହାକୁ ନିୟନ୍ତ୍ରଣ କରିବା ଆମ ହାତରେ ନାହିଁ। ଜିତିବା ଏବଂ ହାରିବା ଖେଳର ଏକ ଅଂଶ। ଆମେ ପ୍ରଥମ ଦଳ ନୁହେଁ ଯିଏ କି ଏକ ମ୍ୟାଚ୍‌ ହାରିଛି। ପୂର୍ବ ଦଳଗୁଡ଼ିକ ମଧ୍ୟ ଭାରତ ନିକଟରୁ ପରାସ୍ତ ହୋଇଛନ୍ତି’ ବୋଲି ସର୍ଫରାଜ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ପୂର୍ବ ଦଳଗୁଡ଼ିକ ଆମପରି ସମାଲୋଚନାର ଶିକାର ହୋଇନାହାନ୍ତି। ସେମାନେ ଅନୁଭବ କରିପାରୁଥିବେ ଏହା କେତେ କଷ୍ଟଦାୟକ। ବର୍ତ୍ତମାନ ସୋସିଆଲ ମିଡିଆ ରହିଛି। ଏଥିରେ ଲୋକେ ଯାହା ପାରୁଛନ୍ତି ଲେଖୁଛନ୍ତି ଓ କହୁଛନ୍ତି। ଏହିଭଳି ଘଟଣା ଖେଳାଳିଙ୍କୁ ମାନସିକସ୍ତରରେ ଆଘାତ ଦେଇଛି।’ ସେହିଭଳି ମଲ୍‌ରେ ଘଟିଥିବା ଏହି ଘଟଣା ପରେ ତାଙ୍କ ସ୍ତ୍ରୀ ହୋଟେଲ ରୁମ୍‌ରେ କାନ୍ଦୁଥିବାର ସେ ଦେଖିବାକୁ ପାଇଲେ ବୋଲି ସର୍ଫରାଜ କହିଛନ୍ତି। ମଲ୍‌ରେ ପ୍ରଶଂସକମାନେ ଯାହା କହିଲେ ତାକୁ ସେ ଗ୍ରହଣ କରୁନାହାନ୍ତି ବୋଲି ସର୍ଫରାଜଙ୍କୁ ତାଙ୍କ ସ୍ତ୍ରୀ କହିଥିଲେ। ଏଥିପୂର୍ବରୁ ଅନ୍ୟତମ ପାକିସ୍ତାନ କ୍ରିକେଟର୍‌ ସୋଏବ ମଲିକ ଓ ମହମ୍ମଦ ଆମୀର ମଧ୍ୟ ପ୍ରଅଶଂସକଙ୍କୁ ବ୍ୟକ୍ତିଗତ ଆଟାକ୍‌ ନ କରିବାକୁ ଅନୁରୋଧ କରିଥିଲେ।

Share