Categories: ଖେଳ

ମେନି ପାକ୍ୱିୟୋଙ୍କୁ ଡବ୍ଲ୍ୟୁବିଏ ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ

ଲସ ଭେଗାସ,୨୧।୭(ଏଏଫପି)-ଫିଲିପାଇନ୍ସ ବକ୍ସିଂ କିମ୍ବଦନ୍ତୀ ମେନି ପାକ୍ୱିୟୋ ଡବ୍ଲ୍ୟୁବିଏ (ବିଶ୍ୱ ବକ୍ସିଂ ଆସୋସିଏଶନ) ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ ହାସଲ କରିଛନ୍ତି। ଶନିବାର ଏଠାରେ ଖେଳାଯାଇଥିବା ମୁକାବିଲାରେ ସେ ସ୍ପିଲ୍ଟ ଡିସିଶନ୍‌ ମାଧ୍ୟମରେ ଡବ୍ଲ୍ୟୁବିଏ ସୁପର ଚାମ୍ପିୟନ ତଥା ଆମେରିକାର ପେସାଦାର ବକ୍ସର କେଇଥ୍‌ ଥୁରମାନଙ୍କୁ ହରାଇ ଏହି ସଫଳତା ପାଇଛନ୍ତି। ଏଥିସହିତ ୪୦ ବର୍ଷୀୟ ପାକ୍ୱିୟୋ ବୟୋଜ୍ୟେଷ୍ଠ ବକ୍ସର ଭାବେ ଏହି ଟାଇଟଲ ହାସଲ କରି ବିରଳ ସଫଳତା ହାସଲ କରିଛନ୍ତି। ପୂର୍ବରୁ ଅପରାଜେୟ ଥିବା ଥୁରମାନ ପାକ୍ୱିୟୋଙ୍କୁ ହରାଇ ତାଙ୍କୁ ଅବସର ନେବାକୁ ବାଧ୍ୟ କରିବେ ବୋଲି ଘୋଷଣା କରିଥିଲେ। ତେବେ ଫଳ ଓଲଟା ହୋଇଥିଲା ଓ ସେ ପ୍ରଥମ ରାଉଣ୍ଡରେ ହିଁ ଝଟ୍‌କା ଖାଇଥିଲେ। ବିଜୟୀ ହୋଇଥିଲେ ଥୁରାମାନ କ୍ରମାଗତ ୩୦ତମ ବିଜୟ ହାସଲ କରିଥାନ୍ତେ।
ଦୁଇ ଜଣ ଜଜ୍‌ ପାକ୍ୱିୟୋଙ୍କୁ ୧୧୫- ୧୧୨ ସ୍କୋର ପ୍ରଦାନ କରିଥିଲେ। ତେବେ ତୃତୀୟ ଜଜ୍‌ ଜଣକ ଥୁରମାନଙ୍କୁ ୧୧୪- ୧୧୩ ସ୍କୋର ପ୍ରଦାନ କରିଥିଲେ। ଫଳରେ ସ୍ପିଲ୍ଟ ଡିସିସନରେ ପାକ୍ୱିୟୋ ବିଜୟୀ ଘୋଷିତ ହୋଇଥିଲେ। ପାକ୍ୱିୟୋ ପୂର୍ବରୁ ୭ଟି ଓଜନ ବର୍ଗରେ ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଛନ୍ତି। ସେ ୭୧ତମ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ପାକ୍ୱିୟୋ କ୍ୟାରିୟରରେ ମାତ୍ର ୭ଟି ମୁକାବିଲାରେ ପରାସ୍ତ ହୋଇଛନ୍ତି। ତେବେ ଏଥିମଧ୍ୟରୁ ୪ଟି ପରାଜୟ ଥୁରାମାନଙ୍କୁ ଭେଟିବା ପୂର୍ବରୁ ଗତ ୧୧ଟି ମୁକାବିଲାରେ ସେ ବରଣ କରିଥିଲେ। ବିଜୟରେ ସେ ଖୁସି ଜାହିର କରିଛନ୍ତି। ଆସନ୍ତାବର୍ଷ ମଧ୍ୟ ଖେଳ ଜାରି ରଖିବି ବୋଲି ପାକ୍ୱିୟୋ କହିଛନ୍ତି। ଉଚ୍ଚତା, ଓଜନ ଓ ବୟସ ଥୁରାମାନଙ୍କୁ ସୁହାଉ ଥିଲେ ମଧ୍ୟ ଶେଷରେ ଏମ୍‌ଜିଏମ୍‌ ଗ୍ରାଣ୍ଡ ଗାର୍ଡେନ ଏରିନାରେ ୧୪, ୩୫୬ ଦର୍ଶକଙ୍କ ସମ୍ମୁଖରେ ପାକ୍ୱିୟୋ ବାଜି ମାରିଥିଲେ। ଏବେ ପାକ୍ୱିୟୋ ବ୍ରିଟେନ ତାରକା ବକ୍ସର ଅମୀର ଖାଁଙ୍କୁ ଭେଟିବାର ସମ୍ଭାବନା ରହିଛି। ଏହି ବିଜୟ ସହ ପାକ୍ୱିୟୋ ୨୦ ମିଲିୟନ ଆମେରିକୀୟ ଡଲାର ଆର୍ଥିକ ପୁରସ୍କାର ହାସଲ କରିଛନ୍ତି।

Share