Categories: ଖେଳ

ମେଡିକାଲ ଇମର୍ଜେନ୍ସି : ନ୍ୟୁଜିଲାଣ୍ଡ ଗଲେ ସିନ୍ଧୁଙ୍କ କୋଚ୍‌

ହାଇଦ୍ରାବାଦ, ୧୫।୯- ଅଲିମ୍ପିକ୍ସ ରୌପ୍ୟ ତଥା ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କ କୋରିଆ କୋଚ୍‌ କିମ୍‌ ଜି ହ୍ୟୁନ୍‌ ମେଡିକାଲ ଇମର୍ଜେନି୍ସ ନେଇ ନ୍ୟୁଜିଲାଣ୍ଡ ପ୍ରସ୍ଥାନ କରିଛନ୍ତି। ତାଙ୍କ ସ୍ବାମୀ ଅସୁସ୍ଥ ଥିବାରୁ କିମ୍‌ଙ୍କୁ ହଠାତ ଯିବାକୁ ପଡିଛି। ଆଗାମୀ କିଛି ଦିନ ମଧ୍ୟରେ ଭାରତ ଫେରିବା ନିଶ୍ଚିତ ନୁହଁ ବୋଲି କିମ୍‌ କହିଛନ୍ତି। ତେବେ ସେ ଖୁବ୍‌ ଶୀଘ୍ର ଦଳରେ ଯୋଗ ଦେବେ ବୋଲି ଭାରତୀୟ ଦଳ ମୁଖ୍ୟ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି। କିମ୍‌ଙ୍କ ଅନୁପସ୍ଥିତିରେ ମଙ୍ଗଳବାରଠାରୁ ଚାଇନାରେ ଆରମ୍ଭ ହେବାକୁ ଥିବା ଚାଇନା ଓପନ ବିଡବ୍ଲ୍ୟୁଏଫ୍‌ ସୁପର ୧୦୦୦ ଟୁର୍ନାମେଣ୍ଟରେ ଗୋପିଚାନ୍ଦ ଭାରତୀୟ ଦଳ ସହ ଜଡ଼ିତ ରହିବେ।
ଉଲ୍ଲେଖଥାଉ କି, କିମ୍‌ ଦକ୍ଷିଣ କୋରିଆ ପାଇଁ ଅନ୍ତର୍ଜାତୀୟସ୍ତରରେ ବ୍ୟାଡମିଣ୍ଟନ ଖେଳି ବେଶ୍‌ ସଫଳ ରହିଛନ୍ତି। ସେ କୋରିଆ ଦଳରେ କୋଚ ରହିଥିଲେ। ତେବେ ଗତ ମାର୍ଚ୍ଚରେ ସେ ମହିଳା ସିଙ୍ଗଲ୍ସ କୋଚ୍‌ ହିସାବରେ ଭାରତୀୟ ଦଳରେ ଯୋଗ ଦେଇଥିଲେ। ସିନ୍ଧୁ ଓ ସାଇନାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେବେ ସାଇନା ପାରୁପାଲ୍ଲି କାଶ୍ୟପ ସହ ପ୍ରଶିକ୍ଷଣ ନେବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ କିମ୍‌ କେବଳ ସିନ୍ଧୁଙ୍କୁ ହିଁ ଟ୍ରେନିଂ ଦେଉଛନ୍ତି। କିମ୍‌ ସହ ପ୍ରଶିକ୍ଷଣ ନେଇ ପ୍ରଦର୍ଶନରେ ଉନ୍ନତି ଆସିଥିବା କଥା ସିନ୍ଧୁ ପୂର୍ବରୁ ଏକାଧିକ ବାର କହିଛନ୍ତି। କିମ୍‌ ଅତିକମ୍‌ରେ ୨ ସପ୍ତାହ ଅନୁପସ୍ଥିତ ରହିବେ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାଯାଇଛି। ମୁଖ୍ୟ କୋଚ୍‌ ଗୋପୀଚାନ୍ଦ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ତଥା ଭିନ୍ନ ଭିନ୍ନ କୋଚ୍‌ ନିଯୁକ୍ତ ଉପରେ ଗୁରୁତ୍ୱ ଦେଉଛନ୍ତି। କିମ୍‌ଙ୍କ ଅନୁପସ୍ଥିତି ଦଳର ଦୀର୍ଘକାଳୀନ ପ୍ରସ୍ତୁତିରେ ବାଧା ପହଞ୍ଚାଇବ।

Share