ମେଗା ମିଲିଅନ ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାର ଶୁଭାରମ୍ଭ

ଯାଜପୁର ଅଫିସ,୨ା୯: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟା ପାଇଁ ମେଗା ମିଲିଅନ ଲଞ୍ଚ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ ରଞ୍ଜନ କୁମାର ଦାସ ଏହାକୁ ଉଦଘାଟନ କରି ଠିକ ଓ ନିର୍ଭୁଲ ତାଲିକା ପ୍ରଣୟନ ଲକ୍ଷ୍ୟରେ ଭାରତର ନିର୍ବାଚନ କମିଶନ ଚଳିତ ମାସ ୧ ତାରିଖଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଭୋଟର ଯାଞ୍ଚ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି ବୋଲି ସୂଚନା ଦେଇଥିଲେ। ଜିଲାର ୧୬୧୯ ବୁଥ, ୨୩ଟି ଭୋଟର ସହାୟତା କେନ୍ଦ୍ର ସହ ସମସ୍ତ ଜନସେବା କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ଭୋଟର ତାଲିକାକୁ ଯାଞ୍ଚ କରି କୌଣସି ତ୍ରୁଟି ଥିଲେ ସଂଶୋଧନ କରି ପାରିବେ। ସେହିପରି ଭୋଟରମାନେ ଟୋଲ ଫ୍ରି ନମ୍ବର ୧୯୫୦ରେ ମଧ୍ୟ ଡାଏଲ କରି ସଂଶୋଧନ କରିପାରିବେ ବୋଲି ଜିଲାପାଳ କହିଥିଲେ। ୪୫ ଦିନିଆ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଭୋଟର ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ସରକାରୀ ଚାକିରି କ୍ଷେତ୍ରରେ ପ୍ରମାଣପତ୍ର, ଫଟୋ ସଂଲଗ୍ନ ବ୍ୟାଙ୍କ ପାସବୁକ, ପାନକାର୍ଡ, ଏନପିଆର ସ୍ମାର୍ଟକାର୍ଡ, ଶ୍ରମ ମନ୍ତ୍ରଣାଳୟର ସ୍ବାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ଫଟୋ ଥିବା ପେନସନ ଦସ୍ତାବିଜ ଇତ୍ୟାଦି ଯାହା ଠିକ ବୋଲି ଅନୁଭବ କରୁଛନ୍ତି ତାହାର ଏକ ନକଲ ବିଏଲଓ ବା ସହାୟତା କେନ୍ଦ୍ରରେ ପ୍ରଦାନ କରି ସଂଶୋଧନ କରିପାରିବେ। ସେହିଭଳି ୧ା୧ା୨୦୨୦ ତାରିଖକୁ ଯୋଗ୍ୟତା ତାରିଖ ଧରାଯାଇ ସେତେବେଳକୁ ଯେଉଁ ନୂଆ ଭୋଟରଙ୍କୁ ୧୮ ବର୍ଷ ବା ତଦୁର୍ଦ୍ଧ ହେଉଥିବ ସେମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରି ପାରିବେ। ଅନ୍ୟପକ୍ଷରେ ମୃତ କିମ୍ବା ସ୍ଥାନାନ୍ତରଣ ଭୋଟରଙ୍କ ନାମ ବାଦ ଦିଆଯିବ। ଜଣେ ଭୋଟରଙ୍କର ଏକାଧିକ ସ୍ଥାନରେ ଭୋଟର ତାଲିକା ବେଆଇନ ଅଟେ। ତେଣୁ ସମ୍ପୃକ୍ତ ଭୋଟରମାନେ ନିଜ ଇଚ୍ଛା ମୁତାବକ ଗୋଟିଏ ସ୍ଥାନରେ ଭୋଟର ତାଲିକାରେ ନାମ ରଥି ଅନ୍ୟ ସ୍ଥାନରୁ ନାମ କାଟି ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସେହିପରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭୋଟର ସହାୟତା କେନ୍ଦ୍ରକୁ ଉପଜିଲାପାଳ ନାରାୟଣଚନ୍ଦ୍ର ଧଳ ଶୁଭାରମ୍ଭ କରିଥିଲେ। ପରେ ଜିଲାପାଳ ଓ ଉପଜିଲାପାଳ ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ। ଏହି ଅବସରରେ ଜିଲାପାଳ ଉପସ୍ଥିତ ସମସ୍ତଙ୍କୁ ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାର ଶପଥ ପାଠ କରାଇଥିଲେ।