ମୃତ ମା’ଙ୍କ ନିକଟରେ ଖେଳୁଥିବା ଶିଶୁ ପାଇଁ ସହଯୋଗର ହାତ ବଢାଇଲେ ଶାହାରୁଖ

ମୁମ୍ବାଇ: କିଛିଦିନ ତଳେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରିଥିବା ଜଣେ ପ୍ରବାସୀ ମହିଳା ଶ୍ରମିକଙ୍କର ବିହାର ମୁଜଫରପୁର ରେଲଓ୍ବେ ଷ୍ଟେଶନରେ ମୃତ୍ୟୁ ହୋଇଥିଲା। ଆଉ ମୃତଦେହ ନିକଟରେ ତାଙ୍କର ଦେଢ ବର୍ଷର ଶିଶୁ ଯେଭଳି ଭାବେ ମା’କୁ ଉଠାଇବାକୁ ଚେଷ୍ଟା କରୁଥିଲା ତା’ର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଘଟଣାଟି ଚର୍ଚ୍ଚାକୁ ଆସିଥିଲା। ଏବେ ଏହି ଶିଶୁଟିକୁ ସହଯୋଗର ହାତ ବଢାଇଛନ୍ତି ବଲିଉଡ୍‌ ନାୟକ ଶାହାରୁଖ ଖାଁ। ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ମିର ଫାଉଣ୍ଡେଶନ ଶିଶୁଟିର ଠିକଣା ଖୋଜି ବାହାର କରିବା ପରେ ଏବେ ତା’ର ସମସ୍ତ ଖର୍ଚ୍ଚ ସହ ପରିବାରର ଦେଖାରଖା କରିବ ବୋଲି ଜଣାପଡିଛି। ଏହାସହ ଶିଶୁଟିର ପରିବାର ପାଖରେ ପହଞ୍ଚିବାକୁ ଶାହାରୁଖଙ୍କୁ ଯେଉଁମାନେ ସାହାଯ୍ୟ କରିଛନ୍ତି ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏବେ ଏହି ଶିଶୁ ଓ ତା’ର ବଡ ଭାଇ ଜେଜେ ଜେଜେମା’ଙ୍କ ପାଖରେ ରହୁଛନ୍ତି। ପିଲାଦିନୁ ପିତାମାତାଙ୍କୁ ହରାଇବା କେତେ କଷ୍ଟ ତାହା ଶାହାରୁଖ ଅଙ୍ଗେ ଲିଭାଇଥିବା କଥା ପ୍ରକାଶ କରିଛନ୍ତି। ପିଲାଦିନେ ଶାହାରୁଖ ତାଙ୍କ ପିତାଙ୍କୁ ହରାଇଥିବା ବେଳେ ପାଖାପାଖି ୩୦ ବର୍ଷତଳେ ସେ ତାଙ୍କ ମା’ଙ୍କୁ ବି ହରାଇ ବସିଛନ୍ତି।

Share