ମୃତ ପୁଅର ପ୍ରେମିକାଙ୍କୁ ବିବାହ ଦେଲେ ମା’

ମିରଠ,୮।୧୨: ଉତ୍ତର ପ୍ରଦେଶ ମିରଠରୁ ଏମିତି ଏକ ଘଟଣା ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଅ ମରିଯିବା ପରେ ତାଙ୍କ ପ୍ରେମିକାକୁ ଝିଅ ଭାବେ ଗ୍ରହଣ କରି କନ୍ୟାଦାନ କରିଛନ୍ତି ଜଣେ ବିଧବା ମା’। ମିରଠର ମଓ୍ବାନା ନିବାସୀ ବିମରବତୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ତାଙ୍କର ଏକମାତ୍ର ପୁଅର ୨୦୧୮ରେ ମୃତ୍ୟୁ ହେବା ପରେ ଚଳିତ ବର୍ଷ ସେ ତାଙ୍କ ପୁଅର ପ୍ରେମିକାଙ୍କୁ ଝିଅଭାବେ ଗ୍ରହଣ କରି କନ୍ୟାଦାନ କରିଛନ୍ତି। ସୂଚନା ଅନୁଯାୟୀ, ବିମରବତୀଙ୍କ ଏକମାତ୍ର ପୁଅ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ। ଏହାପରେ ସେ ୨୦୧୮ରେ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିବା ସମୟରେ ସେମାନେ ଗୋଟିଏ ଜାତିର ନ ହୋଇଥିବାରୁ ପ୍ରେମିକାଙ୍କ ଘରଲୋକେ ତାଙ୍କୁ ଜୀବନରୁ ମାରି ଦେଇଥିଲେ। ଘର ଲୋକଙ୍କ ଏଭଳି ବ୍ୟବହାର ପରେ ତାଙ୍କ ପ୍ରେମିକା ଘରୁ ଚାଲି ଆସି ବିମରବତୀଙ୍କ ନିକଟରେ ରହିବାକୁ ଲାଗିଲେ। ତେବେ ପୁଅ ମୃତ୍ୟୁରେ ଭାଙ୍ଗି ପଡିଥିବା ବିମରବତୀ କିନ୍ତୁ ପୁଅର ଆତ୍ମାକୁ ଶାନ୍ତି ଦେବା ଲାଗି ଏବେ ତାଙ୍କ ପ୍ରେମିକାଙ୍କୁ ଜଣେ ସମ୍ପର୍କୀୟ ପୁଅଙ୍କ ସହ ବିବାହ କରିଦେଇଥିବା ଜଣାପଡିଛି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

Share