ମୃତଦେହ ଧରି ଆସୁଥିବା ଆମ୍ବୁଲାନ୍ସ ଓଲଟିଲା : ୩ ଗୁରୁତର

ଭଦ୍ରକ ଅଫିସ,୧୨।୮: ସୋମବାର ଭୋର୍‌ ସମୟରେ କଟକରୁ ମୃତଦେହ ଧରି ଧାମନଗର ଅଞ୍ଚଳକୁ ଆସୁଥିବା ଏକ ଆମ୍ବୁଲାନ୍ସ ଭଣ୍ଡାରିପୋଖରୀ ନିକଟରେ ଜାତୀୟ ରାଜପଥରୁ ଏକ ଖାଲକୁ ଓଲଟି ପଡ଼ିଛି। ଫଳରେ ଆମ୍ବୁଲାନ୍ସରେ ଥିବା ମୃତକଙ୍କ ୩ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସେହି ରାସ୍ତା ଦେଇ ଫେରୁଥିବା ଭଦ୍ରକ ଅଞ୍ଚଳର ସମାଜସେବୀ ରାଜଲକ୍ଷ୍ମୀ ମହାପାତ୍ର ୧୦୮ ଆମ୍ବୁଲାନ୍ସ ଡାକି ୩ ଜଣଙ୍କୁ ଭଦ୍ରକ ଜିଲା ମେଡିକାଲରେ ଭର୍ତ୍ତି କରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତଦେହ ସହ ଆମ୍ବୁଲାନ୍ସ ରାସ୍ତାପାର୍ଶ୍ୱ ଖାଲରେ ପଡ଼ିରହିଛି। ସୂଚନାଥାଉ କି, ଧାମନଗର ବ୍ଲକ ଗୋବିନ୍ଦପୁର ଗାଁର ପରମେଶ୍ୱର ମିଶ୍ରଙ୍କର ହୃଦ୍‌ଘାତରେ କଟକ ଏସିବିରେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହକୁ ଆଣୁଥିବାବେଳେ ଏହିଭଳି ଘଟଣା ଘଟିଥିବା ଜଣାପଡ଼ିଛି।