ମୃତକଙ୍କ ନାଁରେ ଉଠାଯାଉଛି ଭତ୍ତା

ତିହିଡ଼ି, ୧୪।୯ (ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏପରିକି ମୃତକଙ୍କ ନାଁରେ ୨ ବର୍ଷ ହେଲା ଭତ୍ତା ଟଙ୍କା ଉଠାଯାଉଛି ବୋଲି ପଞ୍ଚାୟତର କେତେକ ଅଧିବାସୀ ବିଡିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଭଳି ଅନିୟମିତତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆସନ୍ତା ୧୮ ତାରିଖରେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ସେମାନେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ, ପଞ୍ଚାୟତର ୨୫ ଜଣ ହିତାଧିକାରୀଙ୍କର ୨ବର୍ଷ ତଳେ ମୃତ୍ୟୁ ଘଟିଛି। ହେଲେ ସେହି ହିତାଧିକାରୀଙ୍କ ନାଁରେ ଏବେବି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଉଠାଣ ହେଉଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କ୍ରମିକ ନମ୍ବରରେ ପରିବର୍ତ୍ତନ କରାଯାଇଛି। ଗୃହ ନିର୍ମାଣ କରି ନ ଥିବା ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ବିଲ୍‌ ପ୍ରଦାନ କରାଯାଇଛି। ବିଭିନ୍ନ ସମୟରେ ଏ ସମ୍ପର୍କରେ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ସମିତିସଭ୍ୟ ଯଶୋବନ୍ତ ମଳିକ, ସୁରେନ୍ଦ୍ର ନାୟକ, ଟିକାୟତ ନାୟକ, ଦିଲୀପ ନାୟକ, ଦାଶରଥୀ ନାୟକ, ପ୍ରଦୀପ ପରିଡ଼ା ଓ ନିରଞ୍ଜନ ଦାସ ପ୍ରମୁଖ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।