ମୁହାଁମୁହିଁ ଧକ୍କା ହୋଇ ଗ୍ୟାସ୍‌ ଟ୍ୟାଙ୍କର-କୋଇଲା ବୋଝେଇ ଟ୍ରକ୍‌ ଜଳିଯିବା ଘଟଣା: ଟ୍ୟାଙ୍କରରୁ ଗ୍ୟାସ୍‌ ରିଫିଲ

ସମ୍ବଲପୁର,୧୫।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥ ଯୁଯୁମୁରା ଥାନା ନିକଟରେ ଶନିବାର ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର ଓ କୋଇଲା ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରବିବାର ସକାଳୁ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ରିଫିଲ୍‌ କରାଯାଇ ଅନ୍ୟ ଏକ ଟ୍ୟାଙ୍କର ବଦଳା ଯାଇଛି । ତୈଳ କମ୍ପାନୀ, ଅଧିକାରୀ, ଅଗ୍ନିଶମ ବିଭାଗ, ସ୍ବତନ୍ତ୍ର ସ୍କ୍ବାଡ୍‌ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହୋଇଛି।
ସୂଚନାନୁଯାୟୀ, ଶନିବାର ଭୋର ସମୟରେ ଏକ ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର (ଓଡି ୫ ଏଚ୍‌- ୧୦୯୯) ସମ୍ବଲପୁରରୁ କଟକ ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍‌ (ସିଜି ୧୩ଏବି-୭୬୯୯) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗାଡ଼ି ଭିତରେ ଥିବା ୨ ଜଣ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିଲେ। ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଥିବା ନେଇ ଜଣାପଡ଼ିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।