Categories: ଜାତୀୟ

ମୁସଲମାନଙ୍କୁ ସରକାରୀ ଚାକିରି ମିଳିବା ନେଇ ପ୍ରତିକ୍ରିୟା ରଖିଲେ ଏଆଇୟୁଡିଏଫ୍‌ ଅଧ୍ୟକ୍ଷ

ଗୁଆହାଟି,୨୯।୧୦: କିଛି ଦିନ ପୂର୍ବରୁ ଆସାମ ସରକାର ସରକାରୀ ଚାକିରି ନେଇ ଏକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏଆଇୟୁଡିଏଫ୍‌ର ଅଧ୍ୟକ୍ଷ ତଥା ଲୋକ ସଭା ଏମ୍‌ପି ବଦରୁଦ୍ଦିନ ଅଜମଲ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁସଲମାନମାନଙ୍କୁ ଏହି ନିଷ୍ପତ୍ତି ଉପରେ ଚିନ୍ତା କରିବା ଆବଶ୍ୟକତା ନାହିଁ। କାରଣ ସେମାନଙ୍କୁ ଏମିତି ବି ସରକାରୀ ଚାକିରିରୁ ବାହାରେ ରଖାଯିବ। ଆହୁରି ମଧ୍ୟ ସେ କହିଛନ୍ତି, ସମସ୍ତେ ଜାଣନ୍ତି ଭାଜପା ସରକାର ଅମଳରେ ମୁସଲମାନମାନଙ୍କୁ ଉପେକ୍ଷା କରାଯାଇଥାଏ। ହେଲେ ବର୍ତ୍ତମାନ ସରକାରଙ୍କ ସମୟରେ ସେମାନଙ୍କୁ ସରକରୀ ଚାକିରି ମିଳିବା ଆଶା ବହୁତ କମ୍‌ ହୋଇଯାଇଛି। ତେଣୁ ସେମାନଙ୍କୁ ୨ସନ୍ତାନ ନୀତି ଆପଣାଇବା କିଛି ଆବଶ୍ୟକତା ନାହିଁ ଏବଂ ଆମ ଧର୍ମରେ ଏଭଳି କିଛି ନିୟମ ନାହିଁ ବୋଲି ଅଜମଲ କହିଛନ୍ତି। ମୁସଲମାନ ଯୁବବର୍ଗଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ସେ ନିବେଦନ କରିଛନ୍ତି। ଏହାଦ୍ୱାରା ବହୁ ଲୋକ ରୋଜଗାରକ୍ଷମ ହୋଇପାରିବେ। ସୂଚନାଯୋଗ୍ୟ, ରାଜ୍ୟର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ୨୦୨୧ରୁ ସରକାରୀ ଚାକିରୀ ପାଇଁ ନିର୍ଦ୍ଧାରିତ ନିୟମ ସହ ୨ ସନ୍ତାନ ନିୟମକୁ ମଧ୍ୟ ଯୋଡାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ନିୟମାନୁସାରେ ୨ରୁ ଊର୍ଦ୍ଧ୍ୱ ସନ୍ତାନ ଥିବା ଦମ୍ପତିଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ। ଜନସଂଖ୍ୟା କମ୍‌ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରେ ନିଆଯାଇଥିବା ନିଷ୍ପତ୍ତି ଯୋଗୁ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Share