ମୁଲତବୀ ପ୍ରସ୍ତାବକୁ ନେଇ ହଟ୍ଟଗୋଳ: ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧।୭(ବ୍ୟୁରୋ)

କୃଷି ଓ କୃଷକଙ୍କ ମୁଲତବୀ ପ୍ରସ୍ତାବ କାହିଁକି ଗ୍ରହଣ କରାଗଲାନାହିଁ, ଏହାର ଜବାବ ଦିଆଯାଉ ତା’ପରେ ଗୃହ ଚାଲିବ। ସୋମବାର ପ୍ରଶ୍ନୋତ୍ତର ଆରମ୍ଭରୁ କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅଚଳ ହୋଇଯାଇଥିଲା।
ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ସଭାକାର୍ଯ୍ୟ ଚଳାଇବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ପ୍ରବେଶ କରିଥିଲେ। ବାଚସ୍ପତି ପ୍ରଶ୍ନୋତ୍ତର ଆରମ୍ଭ କରିବା ମାତ୍ରେ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ନିଜ ଆସନ ନିକଟରେ ଛିଡ଼ାହୋଇ କୃଷି ଓ କୃଷକଙ୍କ ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା, କାହିଁକି ତାହା ଗ୍ରହଣ କରାଗଲାନାହିଁ କହି ଗୃହର ମଧ୍ୟଭାଗକୁ ମାଡ଼ିଆସିଲେ। ତାଙ୍କ ସହିତ ରମେଶ ଜେନା, ମହମ୍ମଦ ମୋକିମଙ୍କ ସମେତ  କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବାଚସ୍ପତି କଂଗ୍ରେସ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ଏହାର କୌଣସି ପ୍ରଭାବ କଂଗ୍ରେସ ସଦସ୍ୟଙ୍କ ଉପରେ ପଡ଼ି ନ ଥିଲା। ବାଚସ୍ପତି ବିଜେଡି ସଭ୍ୟ ସୌଭିକ ବିଶ୍ୱାଳ ପଚାରିଥିବା ପ୍ରଶ୍ନ ନଂ.୧୨୧ର ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଡାକିଥିଲେ। ମନ୍ତ୍ରୀ ହଟ୍ଟଗୋଳ ମଧ୍ୟରେ ଉତ୍ତର ଦେଇଥିଲେ। ପାଟିତୁଣ୍ଡ ନ କମିବାରୁ ବାଚସ୍ପତି ଗୃହକୁ ୧୦ଟା ୩୪ରୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ। ୧୧ଟା ୪୬ରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଥିଲା।