ମୁମ୍ବାଇରେ ସମ୍ପନ୍ନ ହେବ ସୁଶାନ୍ତଙ୍କ ଶେଷକୃତ୍ୟ

ମୁମ୍ବାଇ,୧୫।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗ ତାଙ୍କ ପ୍ରଶଂସକ ତଥା ସିନେ ପ୍ରେମୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି। ମୁମ୍ବାଇର ବାନ୍ଦ୍ରାରେ ଥିବା ନିଜ ଘରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କ ପରିବାର କିନ୍ତୁ ବିହାରର ପାଟନାରେ ରୁହନ୍ତି। ସୋମବାର ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବାକୁ ପାଟନାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି ତାଙ୍କ ପିତା କେ.କେ. ସିଂ। ସେ ଦିନ ୨ଟା ପାଖାପାଖି ମୁମ୍ବାଇରେ ପହଞ୍ଚିବାକୁ ଥିବାବେଳେ ସୋମବାର ସନ୍ଧ୍ୟାରେ ହିଁ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି। ମୁମ୍ବାଇର ପବନ ହଂସ ଶ୍ମଶାନ ନିକଟରେ ତାଙ୍କୁ ଅନ୍ତିମ ବିଦାୟୀ ଦିଆଯିବ ବୋଲି କୁହାଯାଉଛି। ପୁଅକୁ ହରାଇବାର ଦୁଃଖରେ ଠିକ୍‌ ଭାବେ ପାଦ ପକାଇ ପାରୁ ନ ଥିବା କେ.କେ. ସିଂଙ୍କ ଅବସ୍ଥା ଦେଖିଲେ ଆଖିରେ ଲୁହ ଆସିଯିବା ସ୍ବାଭାବିକ କଥା। ସୂଚନାଯୋଗ୍ୟ, ଏହା ପୂର୍ବରୁ ସୁଶାନ୍ତଙ୍କ ପରିବାରର ଅନ୍ୟ କେତେଜଣ ସଦସ୍ୟ ରବିବାରଠାରୁ ମୁମ୍ବାଇ ପହଞ୍ଚି ସାରିଥିବା ବେଳେ ଆଉ କେତେଜଣ ତାଙ୍କ ପିତାଙ୍କ ସହ ମୁମ୍ବାଇ ଗସ୍ତ କରିଛନ୍ତି।

Share